କନକ ବ୍ୟୁରୋ : ଦେଶରେ ସଂରକ୍ଷଣ, ଧାର୍ମିକ ଉତ୍ତେଜନା ଏସବୁ ଲାଗି ରହିଛି । ଆନ୍ଦୋଳନ, ପ୍ରତିବାଦ ଭିତରେ ସବୁଠୁ ବଡ ସମସ୍ୟା ଉଜାଗର କରିଛି ଉତ୍ତର ପ୍ରଦେଶର ଏହି ଖବର । ଉତ୍ତର ପ୍ରଦେଶର ପୋଲିସ କନେଷ୍ଟବଳ ପଦ ପାଇଁ  ୬୦,୨୪୪ ପଦ ବାହାରିଛି । ଏନେଇ ପରୀକ୍ଷା ଚାଲିଛି । ହେଲେ ୬୦ ହଜାର ପଦପାଇଁ ଆବେଦକଙ୍କ ସଂଖ୍ୟା ୪୮.୨ ଲକ୍ଷ ରହିଛି । ଏହି ହିସାବରେ ଦେଖିବାକୁ ଗଲେ ଗୋଟିଏ ପଦ ପାଇଁ ୮୦ ଜଣ ଆଶାୟୀ ଆବେଦନ କରିଛନ୍ତି । ଗୋଟିଏ କନେଷ୍ଟବଳ ପଦ ପାଇଁ ୮୦ ଜଣ ଆବେଦନ କରୁଥିବା ସଭାସମିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି ରାଜ୍ୟରେ ବେରୋଜଗାରୀ ହାର ଦେଶ ତୁଳନାରେ କମ୍ ରହିଛି ।

Advertisment

ପିରିୟୋଡିକ ଲେବର ଫୋର୍ସ ସର୍ଭେର ତାଜା ରିପୋର୍ଟ ମୁତାବକ ଦେଶରେ ବେରୋଜଗାରୀ ହାର ୩.୨ ପ୍ରତିଶତ । ହେଲେ ଉତ୍ତର ପ୍ରଦେଶରେ ଏହି ହାର ୨.୪ ପ୍ରତିଶତ । ଲେବର ଫୋର୍ସ ସର୍ଭେ ମୁତାବକ ଗତ ୫ ବର୍ଷରେ ଉତ୍ତର ପ୍ରଦେଶରେ ବେରୋଜଗାରୀ ହାର କମି ଅଧା ହୋଇଛି । ୨୦୧୮-୧୯ ରେ ଏହି ହାର ୫.୭ ପ୍ରତିଶତ ଥିବା ବେଳେ ୨୦୨୨-୨୩ ରେ ଏହି ହାର କମି ୨.୪ ପ୍ରତିଶତରେ ପହଂଚିଛି । 

ସେହିଭଳି ୨୦୧୯ ମସିହାରେ ଯୋଗୀ ସରକାର ୬୯ ହଜାର ଶିକ୍ଷକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଥିଲେ । ଏଥିରେ ମୋଟ ୪.୧୦ ଲକ୍ଷ ଆଶାୟୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧.୪୭ ଲକ୍ଷ ଆଶାୟୀ ପରୀକ୍ଷାରେ ପାସ୍ କରିଥିଲେ । ହେଲେ ନିଯୁକ୍ତି ମିଳିଥିଲା ୬୯ ହଜାର ଆଶାୟୀଙ୍କୁ । 

ସବୁଠାରୁ ବଡ କଥା ହେଉଛି ୨୦୧୮ ମସିହାରେ ଯୋଗୀ ସରକାର ଗ୍ରାମବିକାଶ ଅଧିକାରୀ ପାଇଁ ୧୯୧୮ ଟି ପଦ ଘୋଷଣା କରିଥିଲେ । ହେଲେ ମାତ୍ର ୧୯୧୮ ପଦ ପାଇଁ ଆବେଦନ କରିଥିଲେ ୧୪ ଲକ୍ଷ ଆଶାୟୀ । ଅର୍ଥାତ ଗୋଟିଏ ପଦ ପାଇଁ ୭୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ।