rahul and akhilesh Photograph: (KANAK NEWS)
କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ବିରୋଧୀ ଇଣ୍ଡି ମେଣ୍ଟରେ ନେତୃତ୍ୱ ପରିବର୍ତ୍ତନ ନେଇ କଥା ଉଠିଛି । ରାହୁଲ ଗାନ୍ଧୀଙ୍କ ବଦଳରେ ଅଖିଳେଶ ଯାଦବଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ୱ ଦିଆଯାଉ ବୋଲି ଜଣେ ସମାଜବାଦୀ ପାର୍ଟିର ବିଧାୟକ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ସେହି ବିଧାୟକ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସବୁଠୁ ବଡ଼ ରାଜ୍ୟରେ ସରକାର ଗଠନ କରିବାକୁ ସମାଜବାଦୀ ପାର୍ଟି ସକ୍ଷମ ଅଛି ଆଉ ଅଖିଳେଶ ଯାଦବ ଇଣ୍ଡି ମେଣ୍ଟର କମାଣ ସମ୍ଭାଳନ୍ତୁ ।
ଜାଣିରଖିବା ଉଚିତ ଯେ, ଗତ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ ଲୋକସଭା ସିଟରେ ବିଜୟ ହାସଲ କରିଥିଲା । ଆଉ ଏହାସହ କଂଗ୍ରେସ ପରେ ଲୋକସଭାରେ ଦ୍ୱିତୀୟ ବଡ଼ ବିରୋଧୀ ଦଳ ପାଲଟିଥିଲା ସମାଜବାଦୀ ପାର୍ଟି ।
ଲକ୍ଷ୍ନୌ ମଧ୍ୟର ବିଧାୟକ ଥିବା ରବିଦାସ ମେହରୋତ୍ରାଙ୍କ କହିବା କଥା ହେଲା, ଯଦି ବିହାରରେ ବାଲାଟ୍ ପେପରରେ ଭୋଟ୍ ପଡ଼ିଥାନ୍ତା ତେବେ ନିର୍ବାଚନରେ ଇଣ୍ଡି ମେଣ୍ଟ ବିଜୟୀ ହେଇଥାନ୍ତା । ଅଖିଳେଶ ଯାଦବ ବାରମ୍ବାର ବାଲାଟ୍ ପେପରରେ ଭୋଟ୍ ପଡ଼ିବା ନେଇ ଦାବି କରି ଆସୁଛନ୍ତି ଆଉ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇ ଆସିଛନ୍ତି । ଏଥିସହ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ୱ କରିବା ଉଚିତ କରି ସେ କହିଛନ୍ତି ।
ଜାଣିରଖିବା ଉଚିତ୍ ଯେ, ଦେଶର ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ଯେତେବେଳେ ୨୦୨୦ରେ ବିହାରରେ ୧୯ ସିଟ୍ ଜିତିଥିଲା, ୨୦୨୫ରେ ଏହି ସଂଖ୍ୟା ଏବେ ୬କୁ ଖସି ଆସିଛି । ଖାସ୍ କରି ରାହୁଲ, ଖଡଗେ ଆଉ ଦଳର ଶୀର୍ଷ ନେତୃତ୍ୱଙ୍କ ଲଗାତାର ରାଲି ପରେ ବି ବିହାରରେ ଦଳ ଅତି ଖରାପ ପ୍ରଦର୍ଶନ କରିଛି ।
Follow Us