କନକ ବ୍ୟୁରୋ: ଜନ୍ମବେଦୀକୁ ଯିବା ପାଇଁ ରତ୍ନବେଦୀ ଛାଡ଼ି ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାବାହୁ । ଚାତକ ଭଳି ଚାହିଁଥିବା ଭକ୍ତଙ୍କୁ ଚକା ଚକା ନୟନରେ ଦେବାକୁ ବ୍ୟାକୁଳ ଥିଲେ ଭାବର ଠାକୁର କାଳିଆ ସାଆନ୍ତେ । କିନ୍ତୁ ରାତି ହୋଇଗଲା ପଛେ ରଥାରୁଢ଼ ଶ୍ରୀଜଗନ୍ନାଥ ସିଂହଦ୍ବାରରୁ ଆଗକୁ ଯାଇପାରିଲେନି । ଶେଷରେ ବିଧି ରକ୍ଷା ପାଇଁ ଚକେ ଗଡ଼ି ଅଟକିଥିଲା ନନ୍ଦିଘୋଷ ।
ଏଥର ରଥଯାତ୍ରାକୁ ସୁରୁଖୁରରେ ସାରିବା ପାଇଁ ପ୍ରଶାସନ ଜୋରସୋରରେ ପ୍ରସ୍ତୁତି କରିଥିଲା । ଶୃଂଖଳିତ ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା । ତଥାପି ସିଂହଦ୍ବାର ସମ୍ମୁଖରେ ରଥାରୂଢ଼ ହୋଇ ନନ୍ଦିଘୋଷ ରଥରେ ରହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ନୀତି ନିର୍ଘଣ୍ଟ ଅନୁସାରେ ରଥଟଣା ଆରମ୍ଭ ହୋଇଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ ଟିକେ ବି ଗଡିନଥିଲା ନନ୍ଦିଘୋଷ । ଏହା ପଛରେ ଏକାଧିକ କାରଣ ଥିବା କୁହାଯାଉଛି । ବିଶେଷକରି ନିୟମ ଅନୁସାରେ ଟଣା ଯାଇଥିବା, ବଡ଼ଠାକୁର ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ବଦଳାଇଥିଲା । ମାତ୍ର କିଛି ବାଟ ଗଡ଼ିବା ପାଇଁ ତାଳଧ୍ବଜ ରଥକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ଫଳରେ ଡେରି ହୋଇଥିଲା ମାଆ ସୁଭଦ୍ରାଙ୍କ ରଥ ଟଣା । ଆଉ ସିଂହଦ୍ବାର ସମ୍ମୁଖରେ ଅଟକି ରହିଥିଲା ଜଗାର ନନ୍ଦିଘୋଷ । ତେବେ ଏସବୁକୁ ମହାପ୍ରଭୁଙ୍କ ଲୀଳା ବୋଲି କହି କାମ ସାରି ଦେଉଛନ୍ତି ପ୍ରଶାସନ ଓ ସେବାୟତ ।
ଅଧିକ ଶ୍ରଦ୍ଧାଳୁ ଆସିବାରୁ ରଥଟଣା ମଧ୍ୟ ପ୍ରଭାବିତ ହୋଇଥିବା କୁହାଯାଉଛି । ପ୍ରଶାସନର କହିବା ଅନୁସାରେ ଯେତିକି ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି ଚଳିତ ବର୍ଷ ତାଠାରୁ ଢ଼େର ଅଧିକ ଆସିଛନ୍ତି। ଯାହାଫଳରେ ମାର୍କେଟ ଛକରେ ବଳଦେବଙ୍କ ଦର୍ପଦଳନ, ବଳଗଣ୍ଡିରେ ତାଳଧ୍ବଜ ଓ ସିଂହଦ୍ବାରରେ ଅଟକିଥିଲା ନନ୍ଦିଘୋଷ । ହେଲେ ଏପରି କଥାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥପ୍ରେମୀ ।