କନକ ବ୍ୟୁରୋ : ସୁପ୍ରିମକୋର୍ଟ ଯୌନ ଅପରାଧର ଆଇନଗତ ପରିଭାଷା ଓ ନ୍ୟାୟିକ ସମ୍ବେଦନଶୀଳତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମହିଳାଙ୍କ ପାଇଜାମା ଡୋର ଖୋଲିବା କେବଳ ଏକ ଅଶ୍ଳୀଳ କାର୍ଯ୍ୟ କିମ୍ବା ଦୁଷ୍କର୍ମ ନୁହେଁ, ବରଂ ଏକ ଦୁଷ୍କର୍ମର ପ୍ରୟାସ ।ସୁପ୍ରିମକୋର୍ଟ ମାର୍ଚ୍ଚ ୨୦୨୫ରେ ଆଲ୍ଲାହାବାଦ ହାଇକୋର୍ଟଙ୍କର ଏକ ବିବାଦୀୟ ରାୟକୁ ସମ୍ପୂର୍ଣ୍ଣ ଭାବରେ ଖାରଜ କରିଦେଇଛନ୍ତି। ହାଇକୋର୍ଟ ଯୁକ୍ତି ଦେଇଥିଲେ ଯେ, ପୀଡିତାଙ୍କ ପୋଷାକ ଖୋଲିବା ଦୁଷ୍କର୍ମ ପ୍ରୟାସ ନୁହେଁ ବରଂ କେବଳ ଅପରାଧ ପାଇଁ ଏକ ପ୍ରସ୍ତୁତି କିମ୍ବା ଅଶ୍ଳୀଳ କାର୍ଯ୍ୟ। ଏହାଦ୍ବାରା ଅଭିଯୁକ୍ତଙ୍କୁ କମ୍ ଦଣ୍ଡ ମିଳିବ। ସୁପ୍ରିମକୋର୍ଟ ଏହି ଯୁକ୍ତିକୁ ନ୍ୟାୟ ​​ବିରୋଧୀ ବୋଲି କହି ଏପରି କାର୍ଯ୍ୟ ସିଧାସଳଖ ଦୁଷ୍କର୍ମ ପ୍ରୟାସ ସହିତ ସମାନ। ଏଥିରେ କୌଣସି ଅନୁକମ୍ପା ପ୍ରଦର୍ଶନ କରାଯିବ ନାହିଁ ଅବା କୋହଳ ଆଭିମୁଖ୍ୟ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ।

Advertisment

ଏହି ମାମଲା ଉତ୍ତର ପ୍ରଦେଶର, ଯେଉଁଠାରେ ଅଭିଯୁକ୍ତମାନେ ଜଣେ ନାବାଳିକା ଝିଅକ ସହ ଗଣଦୁଷ୍କର୍ମ କରିଥିଲେ। ଅଭିଯୋଗ ହୋଇଥିଲା, ଅଭିଯୁକ୍ତମାନେ ଝିଅଟିର ପାଇଜାମା ସୂତା ଛିଣ୍ଡାଇ ଦେଇଥିଲେ। ତାକୁ ଜୋରଜବରଦସ୍ତ ଏକ କଲଭର୍ଟ ତଳକୁ ଟାଣି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ପଥଚାରୀଙ୍କ ହସ୍ତକ୍ଷେପ ଯୋଗୁ, ଅଭିଯୁକ୍ତମାନେ ଖସି ପଳାଇ ଯାଇଥିଲେ। ଟ୍ରାଏଲ୍ କୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଶିଶୁ ସୁରକ୍ଷା ଯୌନ ଅପରାଧ ଆଇନ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଅନୁଯାୟୀ କଠୋର ଅଭିଯୋଗ ଲଗାଇଥିଲେ , ସୁପ୍ରିମକୋର୍ଟ ଏହାକୁ କାଏମ୍ ରଖିଛନ୍ତି ।

ଅଧିକ ପଢ଼ନ୍ତୁ--ସେନାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଜାତୀୟସ୍ତରୀୟ ଖେଳାଳିଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍: ଯବାନ ଗିରଫ

ଶୁଣାଣି ସମୟରେ, ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ , ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାରପତିମାନଙ୍କ ସମ୍ବେଦନଶୀଳତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ। ପ୍ରଧାନ ବିଚାରପତି କହିଛନ୍ତି, କୌଣସି କୋର୍ଟ ପୀଡିତାଙ୍କ ଦୁର୍ବଳତା ଓ ପରିସ୍ଥିତିକୁ ନେଇ ବିଚାର ନକରିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ କରିପାରିବେ ନାହିଁ। ସେ ଗୁରୁତ୍ୱାରୋପ କରିଛନ୍ତି, ନ୍ୟାୟିକ ରାୟ କେବଳ ଆଇନଗତ ନୀତିର ପ୍ରୟୋଗ ନୁହେଁ ବରଂ କରୁଣା, ସହାନୁଭୂତି ଓ ମାନବିକତାକୁ ମଧ୍ୟ ପ୍ରତିଫଳିତ କରିବା ଉଚିତ। ଏଗୁଡ଼ିକ ବିନା, ନ୍ୟାୟିକ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇପାରନ୍ତି ।

ରାୟ ପ୍ରଦାନ କରିବା ସହ ସୁପ୍ରିମକୋର୍ଟ ଭବିଷ୍ୟତ ପାଇଁ ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। କୋର୍ଟ ଜାତୀୟ ନ୍ୟାୟିକ ଏକାଡେମୀର ନିର୍ଦ୍ଦେଶକ ଏବଂ ପୂର୍ବତନ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଯୌନ ଅପରାଧ ଏବଂ ସମ୍ବେଦନଶୀଳ ମାମଲାଗୁଡ଼ିକର ଶୁଣାଣି ସମୟରେ ବିଚାରପତିମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଏବଂ କରୁଣା ବିକଶିତ କରିବା ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ବିକଶିତ କରିବ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ନିର୍ଦ୍ଦେଶାବଳୀଗୁଡ଼ିକ କଷ୍ଟକର ଓ ଜଟିଳ ବିଦେଶୀ ଶବ୍ଦ ବିନା ସରଳ ଭାଷାରେ ଲେଖାଯିବା ଉଚିତ ।