କନକ ବ୍ୟୁରୋ : ଇସ୍କନ ଅଦିନିଆ ରଥଯାତ୍ରା ନେଇ ବର୍ଷିଛନ୍ତି ପୁରୀ ଗଜପତି । ଏହାକୁ ବନ୍ଦ କରିବାକୁ ମାର୍ଚ୍ଚ ମାସ ଯାଏଁ ଡେଡଲାଇନ ଦେଇଛନ୍ତି । ଏହା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗଜପତିଙ୍କ ଚିଠି ଓ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ସତ୍ତ୍ୱେ ଇସ୍କନ ଜଗନ୍ନାଥ ପରମ୍ପରାକୁ ଉଲ୍ଲଙ୍ଘନ କରୁଛି ।

Advertisment

ସ୍ୱୟଂ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ପୁରୀରେ ରଥଯାତ୍ରା ହେଉଛି । କିନ୍ତୁ ଇସ୍କନ ଏହାକୁ ମାନୁନାହିଁ । ଦୀର୍ଘବର୍ଷ ଧରି ଅଦିନିଆ ରଥଯାତ୍ରା କରି ଜଗନ୍ନାଥ ପରମ୍ପରାକୁ ଚ୍ୟାଲେଞ୍ଜ କରୁଛି । ଆଉ ଏହାକୁ ନେଇ ବର୍ଷିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍କନକୁ କଡା ଚେତାବନୀ ଦେଇ କହିଛନ୍ତି, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନାହିଁ । ଅଦିନିଆ ରଥଯାତ୍ରା ବନ୍ଦ ନ କଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ । ଏଥିଲାଗି ମାର୍ଚ୍ଚ ମାସ ଯାଏଁ ଡେଡଲାଇନ ଦିଆଯାଇଛି । ମାର୍ଚ୍ଚରେ ଇସ୍କନର ପରିଚାଳନା କମିଟି ବୈଠକ ବସିବ । ବୈଠକରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଇସ୍କନ ନିଷ୍ପତ୍ତି ନ ନିଏ, ତାହାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଜଗନ୍ନାଥଙ୍କ ବିଗ୍ରହ ରଖିବା କିମ୍ବା ପୂଜା କରିବାକୁ କେହି ବାରଣ କରିନାହିଁ । କିନ୍ତୁ ବିଧି ଅନୁସାରେ ମହାପ୍ରଭୁଙ୍କ ରଥଯାତ୍ରା ନ କରିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ କୁଠାରଘାତ କରିଛି । ଶାସ୍ତ୍ର ଓ ପରମ୍ପରା ବିରୋଧୀ କାମ କରୁଛି ଇସ୍କନ । ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଗଜପତି ଚିଠି ଲେଖିବା ଓ ସବୁଆଡୁ ବିରୋଧ ସତ୍ତ୍ୱେ ମାନୁନାହିଁ ଇସ୍କନ । ଆସନ୍ତା ୯ ତାରିଖରେ ଆମେରିକାର ହୋଷ୍ଟନରେ ରଥଯାତ୍ରା ପାଇଁ ପ୍ରସ୍ତୁତି କରିଛି । ତେଣୁ ଏହାକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ଗଜପତି ମହାରାଜ । ସେପଟେ ଆଇନମନ୍ତ୍ରୀ କହିଛନ୍ତି ଗଜପତି ମହାରାଜ ଓ ମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର ।

୧୯୬୭ ମସିହାରୁ  ଇସ୍କନ  ଦେଶ ଭିତରେ ଓ ବାହାରେ ଅଦିନିଆ ରଥଯାତ୍ରା କରିଆସୁଥିଲା । ଆଲୋଚନା ପରେ ୨୦୨୧ ଜୁଲାଇରୁ ଭାରତରେ ଅଦିନିଆ ରଥଯାତ୍ରା ବନ୍ଦ ହୋଇଛି । କିନ୍ତୁ ବିଦେଶରେ ଇସ୍କନ ଅଦିନିଆ ରଥାଯାତ୍ରା କରୁଥିବାରୁ ଏହାକୁ ବନ୍ଦ କରିବାକୁ ଚାପ ବଢୁଛି ।