କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ପିଏସଏଲର ସମୀକରଣ ବଦଳିଯାଇଛି । ଆଉ ଏହି ଇଭେଣ୍ଟ ଏବେ ଆଇପିଏଲ ସହ ଆରମ୍ଭ ହୋଇଛି । ଆଇପିଏଲରେ ଅନସୋଲ୍ଡ ଥିବା ଅନେକ ଖେଳାଳି ଏବେ ପିଏସଏଲରେ ଖେଳୁଥିବା ନଜର ଆସିଛନ୍ତି । ଏମିତି କି ଆଇପିଏଲରେ ଅନସୋଲ୍ଡ ହୋଇଥିବା ଖେଳାଳି ଏବେ ପିଏସଏଲର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଏହି ଖେଳାଳି ଜଣକ ହେଉଛନ୍ତି ଡେଭିଡ ଓ୍ୱାର୍ଣ୍ଣର । ଏହି ଅଷ୍ଟ୍ରେଲିୟ ପୂର୍ବତନ ଖେଳାଳି ପ୍ରଥମଥର ପାଇଁ ପିଏସଏଲ ଖେଳୁଛନ୍ତି । ତାଙ୍କୁ କରାଚି କିଙ୍ଗସ ୨ କୋଟି ୬୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି । ତେବେ ଏଥିରୁ ଆପଣ କଳ୍ପନା କରିପାରୁଥିବେ ଆଇପିଏଲ ଓ ପିଏସଏଲ ମଧ୍ୟରେ ଆକାଶ ପାତାଳ ଫରକ୍ ।  

Advertisment

ଆଇପିଏଲରେ ଚଳିତ ବର୍ଷ ବଡ ନିଲାମୀ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଛାଡିବା ପରେ ରିଷବ ପନ୍ତଙ୍କୁ ଲକ୍ଷ୍ନୌ ଟାର୍ଗେଟ କରିଥିଲା । ଆଉ ୨୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା । ଏହାପରେ ସେ ହୋଇଯାଇଥିଲେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି । ସେହିପରି ଯଦି ପିଏସଏଲ ଉପରେ ନଜର ପକାଇବା ତେବେ ସେଠାରେ ଖେଳାଳି ନିଲାମ ହୁଅନ୍ତି ନାହିଁ । ତାଙ୍କର କିଛି କାଟାଗୋରି ଥାଏ । ଚଳିତ ବର୍ଷ ପିଏସଏଲରେ ଡେଭିଡ ଓ୍ୱାର୍ଣ୍ଣର ନିଜ ବେସ ପ୍ରାଇସ ୩ ଲକ୍ଷ ୟୁଏସ ଡଲାର ରଖିଥିଲେ । ଯାହା ପାକିସ୍ତାନୀ କରେନ୍ସିରେ ୮ କୋଟି ୪୦ ଲକ୍ଷ ଟଙ୍କା । ଆଉ ଭାରତୀୟ କରେନ୍ସିରେ ୨ କୋଟି ୬୦ ଲକ୍ଷ ।

ଏହାସହ ଡେଭିଡ ଓ୍ୱାର୍ଣ୍ଣର ଚଳିତ ବର୍ଷ ପିଏସଏଲର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଯିଏ ଆଇପିଏଲର ଦାମୀ ଖେଳାଳି ରିଷବ ପନ୍ତଙ୍କଠାରୁ ବହୁତ ତଳେ ରହିଛନ୍ତି । ଏମିତି କି ରିଷବ ପନ୍ତଙ୍କ ପାଉଣାର ୧୦ ପ୍ରତିଶତ ବି ନୁହେଁ ଡେଭିଡ ଓ୍ୱାର୍ଣ୍ଣରଙ୍କ ପାଉଣା । ତେଣୁ କହିବାକୁ ଗଲେ ଆଇପିଏଲ ସହ ପିଏସଏଲର ତୁଳନା କରିବା ହିଁ ଭୁଲ ହେବ । ଆଇପିଏଲରେ ଅଲୋଡା ହେଉଥିବା ବିଦେଶୀ ଖେଳାଳିଙ୍କୁ ପିଏସଏଲ ନିଜ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଥାଏ । 
ଡେଭିଡ ଓ୍ୱାର୍ଣ୍ଣର ଆଇପିଏଲରୁ ଆଲୋଡା ହେବା ପରେ ଏବେ ପିଏସଏଲ ଖେଳୁଛନ୍ତି । ଆଉ ତାଙ୍କୁ କରାଚୀ କିଙ୍ଗସ ନିଜ ଦଳର ଅଧିନାୟକ ମଧ୍ୟ କରିଛି । କେବଳ ଓ୍ୱାର୍ଣ୍ଣର ନୁହନ୍ତି ମହମ୍ମଦ ନବୀ, ରାସି ଭେନ୍ ଡର ଡୁସେନ୍, ସିକନ୍ଦର ରାଜା, ଅଲଜାରୀ ଜୋସେଫ, ଜାସନ ହୋଲ୍ଡରଙ୍କ ଭଳି ବିଦେଶୀ ଖେଳାଳି ଯେଉଁମାନେ ଚଳିତ ବର୍ଷ ଆଇପିଏଲରେ ସ୍ଥାନ ପାଇନଥିଲେ । ସେମାନେ ପାକିସ୍ତାନ ସୁପର ଲିଗରେ ସ୍ଥାନ ପାଇଛନ୍ତି । 

ଯଦି ପ୍ରାଇସ ମନି କଥା ଦେଖିବା ତେବେ ଏଥିରେ ବି ଆଇପିଏଲ ଆଗରେ ରହିଛି । ଏମିତି କି ଭାରତୀୟ ମହିଳା ପ୍ରିମିୟର ଲିଗର ପ୍ରାଇସ ମନି ବି ପିଏସଏଲଠାରୁ ବହୁତ ଆଗରେ । ୨୦୦୮ରେ ଆଇପିଏଲର ପ୍ରାଇସ ମନି ୪.୮ କୋଟି ଥିବା ବେଳେ ଏହା ବର୍ତ୍ତମାନ ବଢି ୨୦ କୋଟିରେ ପହଞ୍ଚିଛି । ସେହିପରି ପିଏସଏଲର ପ୍ରାଇସ ମନି ୨ କୋଟି ଟଙ୍କାରୁ ଆରମ୍ଭ ହୋଇଥିଲା ଯାହା ଏବେ ୫ କୋଟି ୬୩ ଲକ୍ଷ ଟଙ୍କାରେ ପହଞ୍ଚିଛି ।