କନକ ବ୍ୟୁରୋ: ନିକଟରେ ଶେଷ ହୋଇଛି ଆଇପିଏଲ ୨୦୨୫ର ମେଗା ଅକ୍ସନ । ଖେଳାଳି କିଣାବିକାରେ କିଛି ଖେଳାଳିଙ୍କ ଭାଗ୍ୟ ଖୋଲିଥିବା ବେଳେ ଆଉ କିଛି ଖେଳାଳି ନିରାଶ ହୋଇଛନ୍ତି । ଆଜି ଆମେ ଏମିତି ଜଣେ ଖେଳାଳିଙ୍କ କଥା କହିବୁ ଯିଏ ଆଇପିଏଲ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ । ହେଲେ ଟି-୨୦ କ୍ରିକେଟରେ ସେ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଗୁଜରାଟର ଓପନର ବ୍ୟାଟ୍ସମ୍ୟାନ ଉର୍ଭିଲ ପଟେଲ ମାତ୍ର ୨୮ଟି ବଲରେ ଶତକ ହାସ କରିଛନ୍ତି ।

Advertisment

 ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଗୁଜରାଟ ଓ ତ୍ରିପୁରା ମଧ୍ୟରେ ଥିଲା ଏହି ମ୍ୟାଚ । ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ୧୫୫ ରନର ସ୍କୋର କରିଥିଲା । ୧୫୬ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ । ଆଉ ଆର୍ଯ୍ୟ ଦେଶାଇଙ୍କ ସହ  ଓପନିଂ ଆସିଥିଲେ ଉର୍ଭିଲ ପଟେଲ । ଉର୍ଭିଲ ଏକାକୀ ଶତକୀୟ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ । ସେ ୨୮ ବଲରେ ଶତକ ହାସଲ କରିଥିବା ବେଳେ ୩୫ ବଲରେ ୧୧୩ ରନ କରି ନଟଆଉଟ ରହିଥିଲେ । ଯେଉଁଥିରେ ୧୨ ଛକା ଓ ୭ ଚୌକା ସାମିଲ ଅଛି । 

ଉର୍ଭିଲଙ୍କ ଏହି ଶତକ ଟି-୨୦ କ୍ରିକେଟର ଦ୍ୱିତୀୟ ଦ୍ରୁତତମ ଶତକ । ସେ ୨୮ ବଲରୁ ଏହି ଶତକ ହାସଲ କରିଥିବା ବେଳେ ପ୍ରଥମ ଶତକ ୨୭ ବଲରେ ହୋଇଥିଲା । ଯାହା ସାହିଲ ଚୌହାନଙ୍କ ନାଁରେ ରହିଛି । ଯଦି ଉର୍ଭିଲ ଏହି ଶତକ ୨୬ ବଲରେ କରିଦେଇଥାନ୍ତେ ତେବେ ସେ ବିଶ୍ୱ ରେକର୍ଡ ନିଜ ନାଁରେ କରିଥାନ୍ତେ । ଏହି ରେକର୍ଡ କରିବାରେ ସେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କୁ ବି ପଛରେ ପକାଇଦେଇଛନ୍ତି । କ୍ରିସ ଗେଲ ୩୦ ବଲରୁ ଶତକ ହାସଲ କରିଥିଲେ । ୨୬ ବର୍ଷିୟ ଉର୍ଭିଲ ପଟେଲ ଆଇପିଏଲ ୨୦୨୫ରେ ନିଜ ବେସ ପ୍ରାଇସ ୩୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ତାଙ୍କୁ କୌଣସି ଟିମ କିଣିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ଉର୍ଭିଲ ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନ । 

ଉର୍ଭିଲ ପଟେଲ ଗୁଜରାଟ ବଡୋଦାର ବାସିନ୍ଦା । ସେ ୨୦୧୮ ରାଜକୋଟରେ ମୁମ୍ବାଇ ବିପକ୍ଷରେ ବଡୋଦା ପାଇଁ ପଦାର୍ପଣ କରିଥିଲେ । ସେହି ବର୍ଷ ସେ ଲିଷ୍ଟ ଏ କ୍ରିକେଟରେ ପାଦ ରଖିଥିଲେ । ସେହିପରି ୨୦୨୩ ଆଇପିଏଲରେ ଗୁଜରାଟ ଟାଇଟନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ହେଲେ ଗୋଟିଏ ବି ମ୍ୟାଚ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା । ଗୁଜରାଟ ରିଲିଜ କରିବା ପରେ ତାଙ୍କୁ କୌଣସି ଦଳ କିଣିନଥିଲେ । ଉର୍ଭିଲ ୪୪ ଟି-୨୦ ମ୍ୟାଚରେ ୨୩.୫୨ ଆଭରେଜ ଓ ୧୬୪.୧୧ ଷ୍ଟ୍ରାଇକ ରେଟରେ ୯୮୮ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ଅଛି ।