କନକ ବ୍ୟୁରୋ: ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ କୋହଲା ପାଗ ସହ ଝିପିଝିପି ବର୍ଷା ଲାଗି ରହିଛି । ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ଧାନ ଭଲ ହୋଇଥିଲା ବେଳେ ଗତ ବାତ୍ୟା ଦାନା ପ୍ରଭାବରେ ଚାଷୀଙ୍କ ଚାଷ ନଷ୍ଟ ହୋଇନଥିଲା । ମାତ୍ର ଅମଳ ସମୟରେ ଏବେ ରାଜ୍ୟରେ ପୁଣି ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଲଘୁଚାପ କୋହଲା ପାଗ ଓ ବର୍ଷା ନେଇ ଚାଷୀମାନେ ବିଲରୁ ଧାନ ତରବରିଆ ଭାବେ କାଟି ଆଣୁଥିବା ଦେଖିବାକୁ ମିଳିଛି । କିଛି ଚାଷୀ ଧାନ ନେଇ ନିଜ ଖଳାରେ ପାଲ ଘୋଡାଇ ରଖିବାକୁ ଉଦ୍ୟମ କରୁଛନ୍ତି । ବହୁ ଧାନ କଟାଯାଇ ନଥିବା ବେଳେ ଅନେକ ସ୍ଥାନରେ ଧାନ କଟା ଯାଇ ପଡ଼ି ରହିଛି ।

Advertisment

ସେପଟେ ଲଘୁଚାପ ପ୍ରଭାବରେ ଗତକାଲି ରାତି ଠାରୁ ଗଜାପତି ଜିଲ୍ଲା ମୋହନା ସମେତ ବିଭିନ୍ନ ଅଂଚଳରେ ଝିପି ଝିପି ବର୍ଷା ଲାଗିରହିଛି l ମୋହନା ବ୍ଲକ ସାନଖଣି ଗାଁର ଚାଷୀ  ବିଲରେ କଟା ଧାନ ଖଳାକୁ ନେଇ ପାରି ନ ଥିବାରୁ ପାଚିଲା ଧାନ ସବୁ ବର୍ଷାରେ ଭିଜୁଛି । ଏମିତି କି ବିଲରେ ପାଣି ଜମି ଧାନ ପଚିବାର ଆଶଙ୍କା ଦେଖା ଦେଇଛି । ପାଣି ରୁ ଛାଣି ଛାଣି ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ଚାଷୀ । ଯଦି ଏହିଭଳି ବର୍ଷା ଲାଗି ରହେ ତେବେ ଧାନ ଗଜା ହୋଇ ହୋଇ ନଷ୍ଟ ହେବାର ଆଶଙ୍କା ରହିଛି  l ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀକୁଳ ।