କନକବ୍ୟୁରୋ : ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ପରେ ଚିନ୍ତାରେ ଚାଷୀ। ଏହାରି ଭିତରେ ଉଜୁଡା ଫସଲ ଦେଖି ଚାଷୀ ମୃତ୍ୟୁ ହେବା ପରେ ସାରା ରାଜ୍ୟରେ ଆଲୋଡନ। ପୁରୀ ସାଖୀଗୋପାଳ ଓ କେନ୍ଦ୍ରାପଡ଼ା ଡେରାବିସ୍‌ରେ ଚାଷୀ ମୃତ୍ୟୁ ହୋଇଥିଲେ ବି ଏପର୍ଯ୍ୟନ୍ତ  ପ୍ରଶାସନ ପକ୍ଷରୁ ଚାଷୀଙ୍କ ପରିବାର ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । କେବଳ ପ୍ରଶାସନିକ ଅଧିକାରୀ ଯାଇ ସମବେଦନା ଜଣାଇଛନ୍ତି। କେବେ ମିଳିବ ଚାଷୀଙ୍କୁ କ୍ଷତିପୂରଣ ସେନେଇ ପରିବାର ଲୋକ ଅନେଇ ବସିଛନ୍ତି।

Advertisment

ରାଜନୈତିକ ଦଳ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏପର୍ୟ୍ୟନ୍ତ କ୍ଷୟକ୍ଷତି ଆକଳନ କରିନି ।    ଲଗାତାର ଲଘୁଚାପର ଲଗାଣ ବର୍ଷାରେ ଧାନ ଫସଲ ତ କ୍ଷୟକ୍ଷତି ହୋଇଛି ତାହା ସାଙ୍ଗକୁ କଞ୍ଚା ପନିପରିବା ଚାଷରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି  ।  ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା  ବେଳେ କଟକ ଜିଲ୍ଲା ସାଲେପୁର ବ୍ଲକର ଗୁଆଳି ଗାଁରେ ଅଧିକ ମାତ୍ରାରେ ଚାଷରେ କ୍ଷତି ହୋଇଛି   ।  ବିଭିନ୍ନ ପ୍ରକାର ପନିପରିବା ଚାଷ ନଷ୍ଟ ହୋଇଯାଇଛି ।

ବିଭିନ୍ନ ସ୍ଥାନରୁ ଧାର କରଜ କରିଥିବା ବେଳେ ଏବେ କିଭଳି ଋଣ ସୁଝିବ ସେ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ । ବର୍ଷା ଛାଡ଼ିଯାଇଛି ହେଲେ ଦେଇଯାଇଛି ଚାଷୀ ଆଖିରେ ଲୁହ। କଟକ କଣ୍ଟାପଡ଼ା ଓ ବାରଙ୍ଗର ଏକର ଏକର ଚାଷ ଜମିରେ ଆଣ୍ଠୁଏ ଲେଖାଏ ପାଣି ଜମିଛି। ପାଣିରେ ପଡ଼ି ପଡ଼ି ଧାନ ସବୁ ସଢ଼ିଗଲାଣି।

ଅକ୍ଲାନ୍ତ ପରିଶ୍ରମ ଓ ଧାର କରଜ କରି କରିଥିବା ଫସଲକୁ ନିଜ ଆଖିରେ ନଷ୍ଟ ହେଇଯିବାର ଦେଖି ଚାଷୀ ଆଖିରୁ ଲୁହ ଆସିଯାଉଛି। କଟକ କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକର ଚାଷୀ ମାନେ ଏବେ ନିଜ ଅମଳ ଫସଲ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି । ଖୁବଶୀଘ୍ର କ୍ଷତିପୂରଣ ଆଶା.ରେ ବସିଛି ଚାଷୀକୁଳ । 
ଭାଗଚାଷୀ କରିବେ କଣ?

ଗଂଜାମରେ ସବୁ ସ୍ଥାନରେ ବିଲରେ ଚାଷୀଙ୍କ ହାହାକାର। ବର୍ଷା ସବୁ ଫସଲ ନଷ୍ଟ କରିଦେଇଛି। ଏବେ କେମିତି ପରିବାର ପେଟ ପୋଷିବେ? ଧାର କରଜ କେମିତି ଶୁଝିବେ? ଏକଥା ଭାବି ଭାବି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଲାଣି। ଏବେ ସରକାରଙ୍କ କ୍ଷତିପୂରଣକୁ ଚାହିଁ ରହିଛି ଚାଷୀ। ଯେଉଁମାନେ ଫସଳ ବୀମା କରିଛନ୍ତି ସେମାନଙ୍କୁ ଅବଶ୍ୟ କିଛି ଆଶ୍ବସନା ମିଳିଥିବ ହେଲେ ଯେଉଁମାନେ କରିନାହାଁନ୍ତି ସେମାନଙ୍କୁ କେତେ କ୍ଷତିପୂରଣ ମିଳିବ ତାହା ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।