କନକ ବ୍ୟୁରୋ : ଅଦିନିଆ ବର୍ଷା ଯେଉଁ କ୍ଷତ ଦେଇଛି ତାହା ଚାଷୀଙ୍କୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରୁଛି । ଋଣ କରି ଚାଷ ଜମିରେ ଫଳାଇଥିବା ସୁନାର ଫସଲ ଯେତେବେଳେ ଧୋଇ ହୋଇଯାଇଛି ସେତେବେଳେ ଆଉ ବଞ୍ଚିବାକୁ ସାହସ ଜୁଟାଇ ପାରୁନି ଚାଷୀ। କିଏ ଆତ୍ମହତ୍ୟାକୁ ଆପଣାଇ ନେଉଛି ତ ପୁଣି କିଏ ମୃତ୍ୟୁ ଆଗରେ ନିଜକୁ ସମର୍ପି ଦେଉଛି। ଅଦିନିଆ ବର୍ଷାରେ କ୍ଷୟକ୍ଷତି ପାଇଁ ଆଜି ପୁଣି ରାଜ୍ୟରୁ ଆଉ ୨ ଚାଷୀଙ୍କ ମୃତ୍ୟୁ ଖବର। 

Advertisment

ଅଭିଶାପ ପାଲଟିଲା ଅଦିନିଆ ବର୍ଷା। ଯାଜପୁରରେ ଚାଷୀର ଜୀବନ ନେଇଛି ଅଦିନିଆ ବର୍ଷା। ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ପାଣିରେ ଧାନ ଭାସୁଥିବାର ଦେଖି ସହ୍ୟ କରିପାରିନଥିଲେ। ବିଲରେ ହିଁ ଟଳି ପଡିଥିଲେ ମଣିରାମ। ସୁନାର ଫସଲ ଆଖି ଆଗରେ ଛାରଖାର ହୋଇଥିବାର ଦେଖି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକ। ଏହାସହ ମୁରୁବୀଙ୍କୁ ହରାଇ କେମିତି ବଞ୍ଚିବୁ ବୋଲି  ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପରିବାର। 

ବିଲରେ ଉଜୁଡା ଫସଲ ଦେଖି ନିରୁପାୟ ଚାଷୀ ଶେଷର ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ଆସିଛି କେନ୍ଦ୍ରାପଡାରୁ। ଡେରାବିଶ କୋଷିଦା ଗାଁର ଦଇତାରୀ ଜେନା,  ବିଲରେ ଗଜା ଧାନକୁ ଦେଖିବା ପରେ  କୀଟନାଶକ ପିଇ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। କହିଛନ୍ତି, ୨ ଲକ୍ଷ ଟଙ୍କାର ଋଣ କରି ଚାଷ କରିଥିବା ଦଇତାରୀ କେମିତି ଏହାକୁ ସୁଝିବେ ତାହାକୁ ନେଇ ଚିନ୍ତାରେ ଥିଲେ। 

ଅଦିନିଆ ବର୍ଷା ପାଇଁ ଏବେ ସୁଦ୍ଧା ରାଜ୍ୟରେ ୫ ଚାଷୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏଯାଏଁ ନା ସରକାରୀସ୍ତରରେ ସହାୟତା ମିଳିଛି ନା କ୍ଷତିପୂରଣ ବାବଦ ଟଙ୍କା ମିଳିଛି। ଅଦିନିଆ ବର୍ଷାର କଷ୍ଟ ଠାରୁ ବଳି ଯାଇଛି ସରକାରଙ୍କ ଦାୟିତ୍ବହୀନତା।