କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଭିଜିଲା ଧାନ ଫସଲ, ଚିନ୍ତାରେ ଭାତହାଣ୍ଡିର ଚାଷୀ । ବରଗଡ଼ ଜିଲ୍ଲାରେ ଗତକାଲି ବର୍ଷା ହେବା ଯୋଗୁଁ ଜିଲ୍ଲାର ବରପାଲି, ଭଟଲି,ବରଗଡ଼, ଭେଡେନ ଓ ଅତାବିରା ଅଞ୍ଚଳର ଧାନ ଭିଜି ନଷ୍ଟ ହୋଇଛି । ଧାନ ବିକ୍ରି ପୂର୍ବରୁ ରାସ୍ତା କଡ଼ରେ ଓ ଖଳାରେ ଧାନ ଶୁଖାଇ ଥିଲେ ଚାଷୀ ହେଲେ ହଠାତ୍ ବର୍ଷା ଚାଷୀଙ୍କ ମୁଣ୍ଡରେ ଅକାଳ ଚଡକ ସଦୃଶ୍ୟ ମାଡ଼ି ଆସିଛି । ପାଣିରେ ଭାସୁଛି ଚାଷୀର କଷ୍ଟ ଉପାର୍ଜିତ ଧାନ ।
ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷା ଶୀତ କାକର ସବୁ ସହି ଚାଷୀ ଧାନ ଅମଳ କରିଥିବା ବେଳେ ଅଦିନିଆ ବର୍ଷା କାଳ ବୈଶାଖୀ ଚାଷୀଙ୍କ ପାଇଁ କାଳ ସାଜିଛି । ଅନେକ ଚାଷୀଙ୍କ ଧାନ ଏବେ ମଧ୍ୟ ବିଲରେ ପଡ଼ି ରହିଛି ଯାହାଦ୍ବାରା ବର୍ଷାରେ ଭିଜି ଗଜା ଦେବାର ସମ୍ଭାବନା ରହିଛି l ଅନ୍ୟପଟେ ବର୍ଷା ହେବ ବୋଲି ଆଗ ସୂଚନା ପ୍ରଶାସନ ତରଫରୁ ଦିଆ ହୋଇ ନଥିଲା କି କୌଣସି ବ୍ୟବସ୍ଥା କରାଯାଇନାହିଁ । ଯେଉଁଥିପାଇଁ ଚାଷୀ ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ଏହାର କ୍ଷତି ଆକଳନ କରି କ୍ଷତିପୂରଣ ଇନ୍ସ୍ୟୁରାନ୍ସ ମାଧ୍ୟମରେ ପ୍ରଦାନ କରାଯାଉ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା l ଜିଲ୍ଲାରେ ଆବଶ୍ୟକ ମଣ୍ଡି ଓ ଧାନ ରଖିବା ପାଇଁ ସ୍ଥାନ ନ ଥିବାରୁ ଚାଷୀ କ୍ଷତି ସହୁଥିବା କହିଛନ୍ତି ।