କନକ ବ୍ୟୁରୋ: ଅଦିନିଆ ବର୍ଷା ଓ ପାଣିପାଗ ପରିବର୍ତ୍ତନ ଚାଷୀଙ୍କ ଏହି ଆଶାରେ ବି ପ୍ରତିବନ୍ଧକ ସାଜିଛି ବିରି ମୁଗରେ ହଳଦିଆ ରୋଗ । ଏଭଳି ସ୍ଥିତିରେ ଅଳ୍ପ ପାଣିରେ ଭଲ ଅମଳ ଦେଉଥିବା ବିରି, ମୁଗ ଆଦି ଚାଷ କରି ବେଶ ଦୁଇପଇସା ରୋଜଗାରର ଲକ୍ଷ୍ୟ ରଖିଥିଲେ ଚାଷୀ । କିନ୍ତୁ ମୁଗ, ବିରି ଆଦିରେ ଏବେ ହଳଦିଆ ରୋଗ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଫୁଲ ଧରିବା ବେଳକୁ ଏହି ରୋଗ ଗଛକୁ ରୋଗୀଣା କରି ଦେଇଛି । ଫଳରେ ମୁଗ, ବିରି ଆଦି ଅଧିକ ଅମଳ ହେବା ଆଶା ଚାଷୀ ଛାଡ଼ି ସାରିଲେଣି ଚାଷୀ । ଏଭଳି ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପାଖାପାଖି ୧୮ଟି ପଞ୍ଚାୟତର ମୁଗ ଚାଷ ଜମିରେ ଦେଖିବାକୁ ମିଳିଛି ।
ପାଣିପାଗ ପରିବର୍ତ୍ତନ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ମୁଗ ଚାଷୀ । ଏକର ଏକର ଜମିରେ ହୋଇଥିବା ବିରି ଓ ମୁଗ ଫସଲ ଏବେ ହଳଦିଆ ରଙ୍ଗ ହୋଇଯାଉଛି । ଠିକ୍ ଛୁଇଁ ଧରିବା ବେଳକୁ ଏଭଳି ରୋଗ ବ୍ୟାପିବା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କାରଣ ଚଳିତ ବର୍ଷ ରବି ଫସଲ ପାଇଁ ଚାଷୀ ଧାନ, ବିରି, ମୁଗ ବିହନ ବୁଣିଲା ବେଳକୁ ବର୍ଷା ଯୋଗୁଁ କ୍ଷତି ସହିଥିଲେ । ଏକ ମାସ ଡେରିରେ ଜମି ପାଗ ହେବା ପରେ ପୁଣି ଥରେ ହଳ କରି ମୁଗ, ବିରି ବୁଣିଥିଲେ । ଏବେ ହଳଦିଆ ରଙ୍ଗ ପଡ଼ିବା ସହ ମୁଗରେ ଆଉ ଛୁଇଁ ଧରିବନି କି ମୁଗ ଅମଳ ହେବନି ।
ସରକାରୀ ହାଇବ୍ରିଡ ବିହନ ଯୋଗୁଁ ଏହି ରୋଗ ବ୍ୟାପୁଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଡେଲାଙ୍ଗ ବ୍ଲକ କୃଷି ଅଧିକାରୀ କହିଛନ୍ତି, ଯେତେବେଳେ ମଞ୍ଜି ବୁଣାଯାଏ ସେତବେଳେ ଚାଷୀ ବିଶୋଧନ କରିବା ଆବଶ୍ୟକ, ନଚେତ୍ ଏହା ଗୋଟିଏ ଜମିରୁ ଅନ୍ୟ ଜମିକୁ ବ୍ୟାପିବା ସହ ଅମଳ ମଧ୍ୟ କମିଯାଏ ।
ଡେଲାଙ୍ଗ ବ୍ଲକର ପାଖାପାଖି ୧୮ଟି ପଞ୍ଚାୟତ ମୁଗ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏଭଳି ସମୟରେ ସରକାର ସାହାଯ୍ୟ ନକଲେ ଚାଷୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେବେ ।