କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କୁ ଏମିତି ଦହଗଞ୍ଜ କରୁଛି । ତିନି ଦିନ ପୂର୍ବରୁ ହୋଇଥିବା ବର୍ଷା ପାଣି ଜମିରୁ ଶୁଖିନଥିବା ବେଳେ ଏବେ ପୁଣି ଝିପି ଝିପି ବର୍ଷା ବୁଦ୍ଧିବଣା କରିଦେଇଛି ।
ଚାଷୀ ଜାଣିଛି, ଏହି ପାଚିଲା ଧାନ ସୁରକ୍ଷିତ ରହିଲେ, ବର୍ଷେ ଯାଏଁ କଷ୍ଟେମଷ୍ଟେ ଚଳିପାରିବ, କିନ୍ତୁ କେମିତି ସୁରକ୍ଷିତ ରଖିବ ତାହା ବୁଝି ପାରୁନାହିଁ । କିଏ କ୍ଷେତରୁ କଟା ଧାନକୁ ଛାଣି ଆଣି ହିଡରେ ତ ଆଉ କିଏ ରାସ୍ତାରେ ରଖୁଛି । କିଏ ଜମିରେ ଛାଡ଼ି ଦେଇଛି । ପୁଣି କାହାର କଟା ହୋଇନଥିବା ଧାନ ପାଣିରେ ଭିଜି ଭିଜି ଗଜା ହେବାକୁ ବସିଲାଣି । କେହି କେହି କଟା ଧାନକୁ ଜମିରେ ଥାକ ମାରି ତା ଉପରେ ପଲିଥିନ ଘୋଡେଇ ସୁରକ୍ଷା ଦେବାକୁ ଚେଷ୍ଟା କରିଛନ୍ତି । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ଲଗାଣ ବର୍ଷା ସାରା ରାଜ୍ୟର ଚାଷୀଙ୍କୁ କନ୍ଦାଇ ଦେଇଛି ।
ଧାନ ଅମଳ ସମୟରେ ଏହି ଲଗାଣ ବର୍ଷା ଚାଷୀ ଓ ଚାଷ ପାଇଁ କାଳ ସାଜିଛି । କେବଳ କ୍ଷେତରେ ଧାନ ନଷ୍ଟ ହେଉଛି ତା ନୁହେଁ, ଅମଳ ପରେ ଚାଷୀ ଶୁଖାଇ ମଣ୍ଡିକୁ ଆଣିଥିବା ଧାନ ଏବେ ପୁଣି ଭିଜୁଛି । ଲଗାଣ ବର୍ଷାରେ ଧାନ ଭଳି ଚିନାବାଦାମ ଓ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି ।
ଅସ୍ତରଙ୍ଗ, ଆସ୍କା, ଜଗତସିଂହପୁର, ଧର୍ମଗଡ଼, ଜୟପାଟଣା, ନିଆଳି, ହାଟଡିହି, କୃଷ୍ଣପ୍ରସାଦ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଛି ଏଭଳି ଦୃଶ୍ୟ । ଯାହାକି ଚାଷୀଙ୍କ ଦୁର୍ଦଶାର ଚିତ୍ରକୁ ବୟାନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/12/25/O0XkbTXIjvyLfiN09Njc.jpg)