କନକ ବ୍ୟୁରୋ: ଅସୁରକ୍ଷିତ ଓଡ଼ିଶା । ରାଜ୍ୟରେ ବଢି ଚାଲିଛି ଅପରାଧ । ପ୍ରତିଦିନ ସାମ୍ନାକୁ ଆସୁଛି ହତ୍ୟା, ଦୁଷ୍କର୍ମ, ନାରୀ ନିର୍ଯାତନା ଭଳି ଖବର । ଏହି ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପରେ ଗୋଟିଏ ପରେ ଗୋଟିଏ ମାମଲା ଏବେ ସାମ୍ନାକୁ ଆସୁଛି । କେଉଁଠି ଦିନ ଦିପହରେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ କରାଯାଉଛି ତ କେଉଁଠି ଗଣଦୁଷ୍କର୍ମ ପୁଣି କେଉଁଠି ମହିଳାଙ୍କୁ ଅସଦାଚରଣ । ସେପଟେ ଚିନ୍ତା ବଢ଼ାଉଛି ଆବାସିକା ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ଖବର ।
ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ଆତ୍ମହତ୍ୟାର ନିଆଁ ଏଯାଏଁ କମିନି । କଲେଜ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଶେଷରେ ଆତ୍ମହତ୍ୟା କରିଥିଲେ ଛାତ୍ରୀ । ଏହି ଘଟଣା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି, ଯାହା ନାରୀ ସୁରକ୍ଷାର ସତକୁ ପଦାରେ ପକାଇଛି । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଦୋହଲି ଯାଇଥିଲା । ବିଜେଡି, କଂଗ୍ରେସ ବିଜେକୁ ଜୋରଦାର ବିରୋଧ କରିଥିଲେ ।
ଏହି ଘଟଣାର ୭ ଦିନ ପରେ ବଳଙ୍ଗାରେ ଜଣେ ନାବାଳିକାକୁ କିରୋସିନ ପକାଇ ଜାଳିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ନାବାଳିକା ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ହେଲେ ପୁଲିସ ହାତରେ ଏଯାଏଁ ଗୋଟିଏ ବି ସୁରାକ ଲାଗିନି କି ଅପରାଧୀଙ୍କ ଟେର ବି ପାଉନି ପୁଲିସ । ନାବାଳିକା ଏବେ ଯାଏଁ ଦିଲ୍ଲୀ ଏମ୍ସରେ ମୃତ୍ୟୁ ସହ ସଂଘର୍ଷ କରି ନ୍ୟାୟ ଅପେକ୍ଷାରେ ରହିଛନ୍ତି ।
ସେପଟେ ଜଗତସିଂହପୁର ଛାତ୍ରୀଙ୍କୁ ଗଣଦୁସ୍କର୍ମ ଅଭିଯୋଗ ଆସିଛି । ବାନ୍ଧବୀଙ୍କ ସହ ଆସୁଥିବା ବେଳେ ବିଲକୁ ଟେକିନେଇ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କଲେ ପିଡ଼ୀତାଙ୍କ ବାପା । ଗୁରୁତର ଅବସ୍ଥାରେ ୧୮ ବର୍ଷୀୟ ଛାତ୍ରୀ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସୂଚନା ମୁତବାକ, ସଦର ଥାନା ମଜୁରାଇ ଚାନ୍ଦଗଡ଼ ଅଂଚଳର ଯୁବତୀ ଏକ ଜନ୍ମ ଦିନ ଉତ୍ସବ ମନାଇବାକୁ ଯାଉଥିଲେ । ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତା ଦେଇ ବାନ୍ଧବୀଙ୍କ ସହ ଯାଉଥିବା ସମୟରେ ଦୁଇ ଜଣ ଯୁବକ ପୀଡ଼ିତାଙ୍କ ପାଟିକୁ ବନ୍ଦ କରି ଵିଲକୁ ନେଇଯାଇ ଦୁଷ୍କର୍ମ କରିଥିଲେ । ତେବେ ଯୁବତୀ ଜଣକ ଚିତ୍କାର କରି ନିଜ ଘରକୁ ଦୌଡ଼ି ପଳେଇ ଆସିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡ଼ିତାଙ୍କୁ ମେଡିକାଲ ଅଣା ଯାଇଛି । ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ କଟକରୁ ଗିରଫ କରିଛି ।
ସେପଟେ ଯାଜପୁରରେ ଜଣେ ନାବାଳିକା ହକି ଖେଳାଳିଙ୍କୁ ତାଙ୍କ ନିଜ କୋଚ୍ ଅସଦାଚରଣ ଏବଂ ଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ହକି କୋଚଙ୍କୁ ଉଠାଇ ନେଇ ପଚରାଉଚରା ଆରମ୍ଭ କରିଥିଲା । ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସ ୩ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ କୋଚ୍ ଓ ତାଙ୍କର ଜଣେ ସହଯୋଗୀ ମିଶି ନାବାଳିକା ଖେଳାଳି ଜଣଙ୍କୁ ରାସ୍ତାରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ପରେ ତାଙ୍କୁ ଏକ ଲଜ୍କୁ ନେଇ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି । ଏହି ଘଟଣା ପରେ ପୀଡ଼ିତାଙ୍କ ପକ୍ଷରୁ କୋଚଙ୍କ ସମେତ ମୋଟ୍ ତିନି ଜଣଙ୍କ ନାଁରେ ଯାଜପୁର ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବା ସହ ମୁଖ୍ୟ ଅଭିଯୁକ୍ତ କୋଚ୍ଙ୍କୁ ହେପାଜତକୁ ନେଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ସେହିପରି ପୁରୀ ସଦର ଥାନା ଅଞ୍ଚଳରେ ୩ ଭଉଣୀ ଅସଦାଚରଣର ଶିକାର ହୋଇଛନ୍ତି । ୩ ଭଉଣୀ ମନ୍ଦିରରୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଭ୍ୟାନିଟ ଓ ସୁନା ଚେନ ଛଡ଼ାଇ ନେବା ସହ ତାଙ୍କ ଓଢ଼ଣୀ ବି ଟାଣିନେଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ସବୁ ଘଟଣା ଏବେ ରାଜ୍ୟରେ ନାରୀ ସୁରକ୍ଷାର ସତକୁ ପଦାରେ ପକାଇଛି । ତେବେ ଦେଖିବା ବାକି ରହିଲା କେବେ ପୁଲିସର ଆଖି ଖୋଲୁଛି? ଆଉ ସରକାର ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।