କନକବ୍ୟୁରୋ : ଅଶାନ୍ତ ବାଂଲାଦେଶ । ଗୋଟିଏ ଦିନ ଶାନ୍ତ ରହିବା ପରେ ପୁଣି ହିଂସାରେ ଜଳିଛି ବାଂଲାଦେଶ । ଶନିବାର ରାତିରେ ଢାକା ସମେତ ବିଭିନ୍ନ ସହରରେ ହିଂସା କରିଛନ୍ତି ଉପଦ୍ରବୀ । ସେପଟେ ବାଂଲାଦେଶ ନ୍ୟାଶନାଲ ପାର୍ଟି ବା ବିଏନପି ନେତାଙ୍କ ଘର ଜାଳିପୋଡି ଦେବା ସହ ୭ବର୍ଷର ଝିଅକୁ ହତ୍ୟା କରିବାକୁ ପଛାଇନାହାନ୍ତି ଉପଦ୍ରବୀ । ସୂଚନା ଅନୁସାରେ ଲକ୍ଷ୍ମୀପୁର ସଦର ଉପ-ଜିଲ୍ଲାର ଭବାନୀଗଞ୍ଜ ୟୁନିଅନ ଅନ୍ତର୍ଗତ ପଶ୍ଚିମ ଚାର ମାନସା ଗାଁରେ ଏହି ଘଟଣା ଘଟିଛି

Advertisment

କର୍ଣ୍ଣାଟକରେ ବଦଳିବ କି ମୁଖ୍ୟମନ୍ତ୍ରୀ? ଡିକେ କହିଲେ, ହାଇକମାଣ୍ଡ ଦିଲ୍ଲୀ ଡାକିଲେ, ଦୁଇ ନେତା ଯିବୁ

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ଦିନ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ପୋଲିସ କହିଛି ଯେ ପୀଡିତ ବ୍ୟକ୍ତି ହେଉଛନ୍ତି ବେଲାଲ ହୋସେନ, ଜଣେ ବିଏନପି ନେତା ଏବଂ ବ୍ୟବସାୟୀ। ଡେଲି ଷ୍ଟାର ରିପୋର୍ଟ କରିଛି ଯେ ବେଲାଲ ହୋସେନ ହେଉଛନ୍ତି ଭବାନୀଗଞ୍ଜ ୟୁନିଅନ ବିଏନପିର ସହାୟକ ସଂଗଠନ ସମ୍ପାଦକ।ତାଙ୍କ ଘରେ ନିଆଁ ଲଗାଯିବା ପରେ ଘରେ ଥିବା ୪ଜଣ ସଦସ୍ୟଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭ବର୍ଷର  ଝିଅର ମୃତ୍ୟୁ ହୋଇଛି । ନିକଟରେ ଛାତ୍ରନେତା ଓସମାନ ହାଦୀକୁ ଗୁଳି କରି ହତ୍ୟା କରାଯିବା ପରେ ଉଠୁଛି ପଡୁଛି ବାଂଲାଦେଶ ।

୨ଦିନ ଧରି ଢ଼ାକା ସମେତ ବିଭିନ୍ନ ସହରରେ ହାଦୀର ସମର୍ଥକ ଉତ୍ପାତ କରିଥିବାବେଳେ ନେତାଙ୍କଠୁ ନେଇ ମିଡିଆ କାର୍ଯ୍ୟାଳୟକୁ ଜାଳିଥିଲେ । ଗତକାଲିର ଭୀଷଣ ହିସାଂ ଦେଖି ଆଜି ଢାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  ସମସ୍ତ ଗୁରୁତ୍ବପୂର୍ଣ୍ଣ  ରାସ୍ତା ବନ୍ଦ ରଖାଯାଇଥିବା ବେଳେ  ଡ୍ରୋନ୍ ନିଷିଦ୍ଧ କରାଯାଇଛି। ସମସ୍ତ ସମ୍ଭେଦନଶୀଳ ଅଂଚଳରେ ପୁଲିସ ସୁରକ୍ଷା କଡ଼ାକଡ଼ି ହୋଇଛି। ଆଜି ମଧ୍ୟ ହଜାର ହଜାର ଜନତା କଟକଣାକୁ ବେଖାତିର କରି ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ହାଦିଙ୍କ ମୃତ୍ୟୁ ବୃଥା ଯିବନାହିଁ ବୋଲି କଠୋରପନ୍ଥୀ ନେତାମାନେ କହିଛନ୍ତି।   ଗତକାଲି ଚଟ୍ଟଗ୍ରାମରେ ଭାରତୀୟ  ହାଇକମିସନରଙ୍କ କାର୍ଯ୍ୟାଳୟ ତଥା ବାସଭବନ ଉପରେ ପଥର ମାଡ଼ ଘଟଣାକୁ ଭାରତ ଗମ୍ଭୀରତାର ସହ ନେଇଛି ଏବଂ ଦୂତାବାସ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛି।  ସୂଚନାଯୋଗ୍ୟ, ହାଦିଙ୍କ ହତ୍ୟାକାରୀମାନେ ଭାରତ  ପଳାଇଥିବା ଦାବି କରି କେତେକ ଚରମପନ୍ଥୀ ଗୋଷ୍ଠୀ ଲୋକଙ୍କ ଭାରତ ବିରୋଧୀ ମନୋଭାବକୁ ଉସୁକାଉଛନ୍ତି।  ଆମେରିକୀୟ ଦୂତାବାସ ମଧ୍ୟ ଅଧିକ ହିଂସାର ସମ୍ଭାବନା ନେଇ ଚେତାବନୀ ଜାରି କରିଛି। ବାଂଲାଦେଶର ଏଭଳି ସ୍ଥିତିରେ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି। ପୁଲିସର ଭୂମିକାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରଶ୍ନ ଉଠାଇଛନ୍ତି।  ଏହି ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଦ୍ବୟ ଫେରାର ଥିବା ଜଣାପଡ଼ିଛି ।