କନକବ୍ୟୁରୋ : ବିକ୍ଷୋଭ ବଢ଼ୁଛି, ନେପାଳ ଜଳୁଛି । ସାମାଜିକ ଗଣମାଧ୍ୟମ ଉପରୁ ନିଷେଧାଦେଶ ପ୍ରତ୍ୟାହାର ଓ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଏବଂ କେତେକ ମନ୍ତ୍ରୀଙ୍କ ଇସ୍ତଫା ସତ୍ତ୍ୱେ ଅଧିକ ଅଣାୟତ୍ତ ହୋଇପଡ଼ିଛି ସ୍ଥିତି  ।  କାଠମାଣ୍ଡୁରେ ଲାଗିଥିବା ବିବାଦର ନିଆଁ ନେପାଳର ଅନ୍ୟ ସହରକୁ ମାଡ଼ିଲାଣି  ।  ଏପଟେ ଭାରତ-ନେପାଳ ସୀମାରେ ହାଇଆଲର୍ଟ ଜାରି ସହ ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି  । 

Advertisment

୪୮ ଘଣ୍ଟା ଭିତରେ ବଦଳିଯାଇଛି ନେପାଳର ରାଜଧାନୀ କାଠମାଣ୍ଡୁର ଚିତ୍ର । ଯୁଆଡ଼େ ଆଖିପାଉଛି, ସିଆଡ଼େ ଖାଲି ନିଆଁ ଓ ଧୂଆଁ ।  ଚାରିଆଡ଼ ଧ୍ବସ୍ତ- ବିଧ୍ୱସ୍ତ ।  ସାମାଜିକ ଗଣମାଧ୍ୟମକୁ ନିଷେଧ ପରେ ବିରୋଧର ନିଆଁ ଲାଗିଥିଲା ।  ନିଷେଧାଦେଶ ଉଠିବା ପରେ ନିଆଁ ଲିଭୁନି, ବରଂ ବ୍ୟାପିବାରେ ଲାଗିଛି । ସଂସଦ ଭବନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ। ନିରାପତ୍ତା ପାଇଁ ସଂସଦ ଭବନକୁ ସେନା ନିଜ ନିୟନ୍ତ୍ରଣକୁ ନେଇଛି ।  ସାରା କାଠମାଣ୍ଡୁରେ ସେନା ମୁତୟନ ଅଛନ୍ତି । ଅନେକ ସ୍ଥାନରେ ଆନ୍ଦୋଳନକାରୀଙ୍କ ସହ ସେନା ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। ଆନ୍ଦୋଳନକାରୀ ସୁରକ୍ଷାକର୍ମୀଙ୍କ ଉପରେ ଢେଲା ପଥର ମାଡ଼ କରିଛନ୍ତି । 

ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା  କେ.ପି ଶର୍ମା ଓଲି, ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୁର ଦେଉବା ଏବଂ କେତେକ ମନ୍ତ୍ରୀଙ୍କ ବ୍ୟକ୍ତିଗତ ଘରକୁ ଆନ୍ଦୋଳନକାରୀ ପୋଡ଼ି ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଘର ମଧ୍ୟ ବାଦ୍ ପଡ଼ିନାହିଁ।  କେ.ପି ଶର୍ମା ଓଲି ଓ କେତେକ ମନ୍ତ୍ରୀଙ୍କୁ ସେନା ସୁରକ୍ଷିତ ସ୍ଥାନକୁ ନେଇଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ନେତାଙ୍କୁ ଆନ୍ଦୋଳନକାରୀଙ୍କ କବଳରୁ ଉଦ୍ଧାର ପାଇଁ ହେଲିକପ୍ଟର ମୁତୟନ କରାଯାଇଛି।  କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି ।

ଭାରତୀୟ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ଭାରତ ପକ୍ଷରୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କରାଯାଇଛି। ନେପାଳରେ ଥିବା ଭାରତୀୟମାନେ ସତର୍କ ରହିବା ସହ ସଂଯମ ଆଚରଣ କରିବା ପାଇଁ ଦିଆଯାଇଛି ପରାମର୍ଶ । ଦରକାର ପଡ଼ିଲେ ଫୋନରେ ଭାରତୀୟ ଦୂତାବାସ ସହ ଯୋଗଯୋଗ କରିପାରିବେ। ଏଥିପାଇଁ ଦିଆଯାଇଛି ଫୋନ୍‌ ନମ୍ୱର -  ୯୭୭- ୯୮୦୮୬୦୨୮୮୧ ଏବଂ ୯୭୭- ୯୮୧୦୩୨୬୧୩୪ ।  ନେପାଳ ସ୍ଥିତି ଉପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧିକାରୀ କଡ଼ା ନଜର ରଖିଛନ୍ତି। ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯିବ ।