କନକ ବ୍ୟୁରୋ: ହୋମ୍‌ଗ୍ରାଉଣ୍ଡ ଛାଡ଼ିପାରେ ସନ୍‌ରାଇଜର୍ସ ହାଇଦ୍ରାବାଦ । ଚଳିତ ସିଜିନ୍‌ରେ ବାକି ଥିବା ମ୍ୟାଚ୍‌ ଅନ୍ୟ କୌଣସି ଗ୍ରାଉଣ୍ଡ୍‌ରେ ଖେଳିପାରେ । ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମକୁ ନିଜର ଘରୋଇ ମୈଦାନ ଭାବରେ ବ୍ୟବହାର କରୁଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଏକ ରିପୋର୍ଟ ମୁତାବକ, ୨୦୧୬ ସିଜିନ୍‌ର ଏହି ଚାମ୍ପିୟନ ଦଳକୁ ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଏ. ଜଗନ ମୋହନ ରାଓ, ଟିକେଟ ପାଇଁ ବ୍ଲାକମେଲ୍‌ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ SRHର ଜେନେରାଲ୍‌ ମ୍ୟାନେଜର ଶ୍ରୀନାଥ ଟିବି ହାଇଦ୍ରାବାଦ କ୍ରିକେଟ ସଂଘର କୋଷାଧ୍ୟକ୍ଷ ସିଜେ ଶ୍ରୀନିବାସ ରାଓଙ୍କୁ ଏକ ଚିଠି କରିଛନ୍ତି । ଟିକେଟ୍‌ ପାଇଁ ଏଭଳି ଧମକଚମକକୁ ବରଦାସ୍ତ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।   

Advertisment

ଏକ ଜାତୀୟ ରିପୋର୍ଟ ମୁତାବକ, SRHର ଜେନେରାଲ୍‌ ମ୍ୟାନେଜର ଶ୍ରୀନାଥ ଟିବି ହାଇଦ୍ରାବାଦ କ୍ରିକେଟ ସଂଘର କୋଷାଧ୍ୟକ୍ଷ ସିଜେ ଶ୍ରୀନିବାସ ରାଓଙ୍କୁ ପଠାଇଥିବା ଇ-ମେଲ୍‌ରେ  ଲେଖିଛନ୍ତି, “HCAର ସଭାପତି ଅଣପେସାଦାର ବ୍ୟବହାର କରୁଛନ୍ତି । HCA ସଭାପତି ବ୍ୟବହାରରୁ ଜଣାପଡ଼ୁଛି ଯେ, ସେ ଚାହୁଁନାହାନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳୁ । ଯଦି ଏହା ସତ, ଦୟାକରି ଲିଖିତ ଭାବରେ ଜଣାନ୍ତୁ ଯାହାଦ୍ଵାରା ଆମେ BCCI, ତେଲେଙ୍ଗାନା ସରକାର ଏବଂ ଆମର ମ୍ୟାନେଜ୍‌ମେଣ୍ଟ୍‌କୁ ଜଣାଇପାରିବୁ ଯେ, ଆପଣ ଆମ ଘରୋଇ ଷ୍ଟଡିୟମକୁ ଅନ୍ୟତ୍ର  ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି । ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ । ଆମେ ୧୨ ବର୍ଷ ହେଲା  HCA ସହ କାମ କରି ଆସୁଛୁ । କିନ୍ତୁ ଗତ ସିଜିନ୍‌ଠାରୁ ଆମେ ଏଭଳି ସମସ୍ୟା ଦେଖି ଆସୁଛୁ ।“ 

F12A Box ପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦ ୫୦ଟି ମାଗଣା ଟିକେଟ୍ ଦେଇ ଆସୁଛି । ଏହିଭଳି ଭାବରେ ବିଭିନ୍ନ ଷ୍ଟାଣ୍ଡ୍‌ ପାଇଁ ୩୯୦୦ ମାଗଣା ଟିକେଟ୍‌ ଯୋଗାଇ ଦେଉଛି ସନ୍‌ରାଇଜର୍ସ ହାଇଦ୍ରାବାଦ ।  ହେଲେ ଏଥର ଆହୁରି ୨୦ ପ୍ରତିଶତ ଅଧିକ ମାଗଣା ଟିକେଟ୍‌ ଯୋଗାଇ ଦେବାକୁ ଚାପ ପକାଯାଉଛି । ତେଣୁ ଏହାକୁ ନେଇ HCA ସହ ଖୋଲାଖୋଲି ଆଲୋଚନା ଚାହୁଁଛି ସନ୍‌ରାଇଜର୍ସ ହାଇଦ୍ରାବାଦ । 

ପ୍ରତି ଆଇପିଏଲ୍‌ ସିଜିନ୍‌ରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ବାବଦରେ ଭଡ଼ା ଦେଇଥାଏ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏହି ସମୟରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ଦେଖାରଖା ଦାୟିତ୍ୱ ନେଇଥାଏ ସନ୍‌ରାଇଜର୍ସ ହାଇଦ୍ରାବାଦ । କିନ୍ତୁ ଗତ ମ୍ୟାଚ୍‌ରେ HCAକୁ ୨୦ଟି ଅତିରିକ୍ତ ଟିକେଟ୍‌ ଯୋଗାଇଦିଆଯିବା ସତ୍ତ୍ୱେ ଷ୍ଟାଡିୟମର F3 Boxରେ ତାଲା ପକାଇ ଦିଆଯାଇଥିଲା । ଟିକେଟ ପାଇଁ ବାରମ୍ବାର HCA ସଭାପତି ବ୍ଲାକ୍‌ମେଲ୍‌ କରୁଥିବା ରିପୋର୍ଟ ଆସିଛି । ଖାଲି ସେତିକି ନୁହେଁ ଏହାକୁ ନେଇ ଧମକଚମକ ବି ଦିଆଯାଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସନ୍‌ରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍‌ ।