କନକ ବ୍ୟୁରୋ : ଝାଟିମାଟି ଘର, ଚାରିଆଡ଼େ କୁଢ଼କୁଢ଼ ମାଟି । ସବୁଆଡ଼େ ଖୋଲାମେଲା । ଉପରେ ପଡ଼ିଛି ଜରିପାଲ । ଟିକିଏ ପବନ ହେଲେ ଘର ଭୁଶୁଡ଼ିଯିବ । ଏହି ବିପଦସଙ୍କୁଳ ଅବସ୍ଥାରେ କଟୁଛି ଜଣେ ଅସହାୟ ବୃଦ୍ଧାଙ୍କ ଜୀବନ । ବୟସର ଅପରାହ୍ନରେ ରାହା ଖୋଜୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢ଼ୋ ଗାଁର ବୁଧୁନି ପାତ୍ର । ବୟସ ୬୫, ଦେହରେ ଆଉ ଯୁ ନାହିଁ । ବାଡ଼ିଟିଏ ସାଜିଛି ସାହାରା । ସ୍ବାମୀ, ପୁଅ, ଝିଅ ସବୁ ଆରପାରିରେ ।
ପରିବାର ଯିବା ପରେ ନିର୍ବାକ ହୋଇଯାଇଛନ୍ତି ବୁଧୁନି । ନା କାହା ସହ କଥାବାର୍ତ୍ତା ନା ଅଭିଯୋଗ । ଭାଗ୍ୟକୁ ଆଦରି ପଡ଼ିଛନ୍ତି । କିଏ କିଛି ଦେଲେ ଖାଇବେ ନହେଲେ ନାହିଁ । ଦିନେ ଖାଇଲେ ଦୁଇଦିନ ଉପାସ ।
ବୁଧୁନି ପାତ୍ରଙ୍କର ଏହି ଦୁର୍ଦ୍ଦଶା ଆଜିର ନୁହେଁ, ଦୀର୍ଘ ୧୦ ବର୍ଷର । ଏବେ ପ୍ରଶ୍ନ, କ'ଣ ୧୦ ବର୍ଷ ହେଲା କାହାରିବି ନଜର ପଡ଼ିନି ? ବ୍ଲକଠାରୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କ'ଣ କେହି ଏହି ବୃଦ୍ଧାଙ୍କ ବିଷୟରେ ଜାଣିନାହାନ୍ତି ? ଏ ସମସ୍ତ ପ୍ରଶ୍ନ ଭିତରେ କ'ଣ କହୁଛନ୍ତି ବିଡିଓ ଶୁଣନ୍ତୁ ।
ଜଣେ ବୃଦ୍ଧା ଏଭଳି ଅବସ୍ଥାରେ ଦୀର୍ଘ ବର୍ଷ ହେବ ଜୀବନ ବିତାଉଥିବା ବେଳେ ଜନ ପ୍ରତିନିଧି ଏବଂ ସରକାରୀ ବାବୁଙ୍କ ନଜର ନ ପଡ଼ିବା ପରିତାପର ବିଷୟ ।