କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବିନିଶପୁର ଗାଁରେ ଘରେ ଘରେ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ପ୍ରାୟ ୮୦ଟି ପରିବାରରେ ୩ ଶହରୁ ଅଧିକ ଲୋକ ରହୁଥିବାବେଳେ ୬୦- ୭୦ ଜଣ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ୭ ଦିନ ହେଲାଣି ଗାଁରେ ଜ୍ୱର ବ୍ୟାପିଛି । ଜ୍ୱର ହେବା ପରେ ରୋଗୀ ଗୋଡ଼, ହାତ, ମୁଣ୍ଡ ସହ ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଚାଲିବା କଷ୍ଟ ହେଉଥିବା ବେଳେ ଖାଇବା ପାଇଁ ଇଚ୍ଛା ହେଉନାହିଁ । ଔଷଧ ଖାଇଲେ କିଛି ସମୟ ପାଇଁ କମିଯାଉଛି, ପରେ ପୁଣି ଜ୍ୱର ଆସୁଛି ।
ଗୁରୁତର ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ରୋଗୀଙ୍କ ରକ୍ତ ପରୀକ୍ଷା କରିବା ସହ ଔଷଧ ବାଣ୍ଟିଛନ୍ତି । ରକ୍ତ ପରୀକ୍ଷା ରିପୋର୍ଟରେ ମ୍ୟାଲେରିଆ ନେଗେଟିଭ୍ ଆସୁଛି । ରୋଗ ଜଣା ପଡୁନଥିବାରୁ ଡାକ୍ତର ପୁଣି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ବାହାରକୁ ପଠାଇଛନ୍ତି । ରିପୋର୍ଟ ଆସିବା ପରେ ରୋଗ ଜଣାପଡ଼ିବ ବୋଲି ଡାକ୍ତର ଜ୍ୟୋତ୍ସ୍ନାମୟୀ ରାଉତ କହିଛନ୍ତି ।
ଗାଁର ପ୍ରାୟ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଓ ମଜୁରି ଖଟି ପରିବାର ଚଳାନ୍ତି । ଜ୍ୱର ହେବା ପରେ ଚାଲିପାରୁନଥିବାରୁ ମୂଲ ଲାଗିବା ପାଇଁ ଯାଇ ହେଉନାହିଁ । ଚିକିତ୍ସା ଦୂରର କଥା । ପୂର୍ବରୁ ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ବ୍ୟାପିଥବା ବେଳେ ଏବେ ଜ୍ବର ଚିହ୍ନଟ କରାଯାଇପାରୁନି । ଶୀଘ୍ର ପ୍ରତିକାର ନହେଲେ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ରହିଛି ।