କନକ ବ୍ୟୁରୋ :  ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌। ଆଜି ସକାଳୁ ପ୍ରାୟ ୧୦ ମିନିଟ୍ ଧରି ମନ୍ଦିର ଉପର ଭାଗ ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଚକ୍କର ମାରୁଥିବାର ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପୁଣି ଡ୍ରୋନ୍ ଉଡ଼ିବା ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ରାତିରେ ବି ନୀଳଚକ୍ର ଠାରୁ ସିଂହଦ୍ଵାର ଏବଂ ସିଂହଦ୍ଵାର ଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ  ପରିକ୍ରମା ମାର୍ଗ ଉପରି ଭାଗରେ ପ୍ରାୟ ୧୫ ମିନିଟ କାଳ ପଇଁତରା ମାରିଥିଲା ଡ୍ରୋନ୍ ।  କେଉଁଠାରୁ ଡ୍ରୋନ ଅପରେଟ ହେଉଥିଲା ଓ କିଏ ଏହାକୁ ଅପରେଟ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ସେପଟେ ଆଜି ସକାଳୁ ବି ଡ୍ରୋନ୍ ଉଡ଼ିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍‌ କ୍ୟାମେରା ଉଡ଼ିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି । ନୋ ଫ୍ଲାଇଙ୍ଗ ଜୋନରେ କିଭଳି ଭାବେ ଓ କିଏ ବାରମ୍ବାର ଡ୍ରୋନ ଉଡ଼ାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।