କନକ ବ୍ୟୁରୋ: ରାୟଗଡାରେ ଅଜଣା ରୋଗର ଭୟ । ଗୋଡ, ହାତ ଫୁଲିବା ସହ ଆଣ୍ଠୁ ଗଣ୍ଠି ଫୁଲିଯାଉଛି। ଭଲରେ ଚାଲି ହେଉନି । ଯେତେ ଔଷଧ ଖାଇଲେ ବି କମୁନାହିଁ । କି ରୋଗ ହୋଇଛି ଜଣାପଡୁନଥିବାରୁ ଭୟଭୀତ ଅବସ୍ଥାରେ ଘରେ ପଡିରହିଛନ୍ତି। 

Advertisment

ପୂର୍ବରୁ କାଶୀପୁରର ମୁନୁଷପଦର ଗାଁରେ ଅଜଣା ରୋଗ ବ୍ୟାପୀଥିଲା। ପରେ ଏହା ଡିପଥେରିଆ ବୋଲି ଚିହ୍ନଟ ହୋଇଥିଲା । ଏବେ ରାୟଗଡାରେ ପୁଣି ଆଉ ଏକ ଅଜଣା ରୋଗର ଭୟ ଦେଖାଦେଇଛି । ପୁରା ଗାଁ ଶୁନଶାନ୍ । ୩ରୁ ୪ ସପ୍ତାହ ହେଲାଣି ଲୋକ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରଥମେ ଜ୍ୱର ଓ ପରେ ପରେ ଗୋଡ, ହାତ, ମୁହଁ ସହ ଆଣ୍ଠୁ ଗଣ୍ଠି ଫୁଲିଯାଉଛି । ଇଞ୍ଜେକ୍ସନ ନେଲେ ଜ୍ୱର କମୁଛି, ପୁଣି ହେଉଛି। ଘରେ ଘରେ ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ । ଚାଲିବା କଷ୍ଟକର ହୋଇପଡୁଛି । ବାଡ଼ି ସହାଯ୍ୟରେ ଚଲାବୁଲା କରୁଛନ୍ତି ଆକ୍ରାନ୍ତ । ରକ୍ତ ପରୀକ୍ଷାରୁ ଡେଙ୍ଗୁ କି ମ୍ୟାଲେରିଆ କିଛି ଜଣାପଡୁନି। ଡାକ୍ତରଙ୍କ ଏକ ଟିମ୍ ଗାଁରେ ପହଞ୍ଚି ରୋଗୀଙ୍କୁ ଓଆରଏସ୍ ସହ ଔଷଧ ବିତରଣ କରୁଛନ୍ତି।

ରାୟଗଡ଼ା ସହରଠାରୁ ୫ କିମି ଦୂର ଜାତୀୟ ରାଜପଥ କଡରେ ରହିଛି ହାଲୁଆ ଗାଁ। ୨୪୦ ପରିବାରରେ ପ୍ରାୟ ୧୧ଶହରୁ ଅଧିକ ଲୋକ ବସବାସ କରନ୍ତି । ସମସ୍ତେ ଦୀନମଜୁରିଆ ସହ ଚାଷବାଷ କରି ଜୀବିକା ନିର୍ବାହ କରନ୍ତି । ହେଲେ ଅସୁସ୍ଥତା କାରଣରୁ ୪ ସପ୍ତାହ ହେବ କାମକୁ ଯାଇପାରୁନାହାନ୍ତି । ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଡାକ୍ତରୀ ଟିମ୍ ଗାଁକୁ ଯାଇ ପରୀକ୍ଷା କରୁଛି । ଆବଶ୍ୟକ ସ୍ଥଳେ ସବୁ ସୁବିଧା ଯୋଗାଇଦିଆଯିବ । ଏହି ଅଜଣା ରୋଗ ବ୍ୟାପିବା ଆଗରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନିରାକରଣ କରିବା ଜରୁରୀ।