କନକ ବ୍ୟୁରୋ : ୨୦୨୨ ଜାନୁଆରିରେ ଆରମ୍ଭ ହୋଇଥିଲା କଟକ ବଡ଼ ମେଡିକାଲର ନୂତନ କୋଠା ନିର୍ମାଣ କାର୍ଯ୍ୟ । ଡାକ୍ତରଖାନାକୁ ବିଶ୍ଵସ୍ତରୀୟ କରିବାକୁ ରାଜ୍ୟ ସରକାର ମୋଟ ୪ ହଜାର ୪ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ । ଏଥିରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଭିତ୍ତିଭୂମି ସ୍ଥାନାନ୍ତର ଇତ୍ୟାଦି ରହିଥିଲା। ହସପିଟାଲର ୪ଟି କୋଠା ସହିତ ଅତିରିକ୍ତ ୩ଟି କୋଠା ରହିଛି । ଆବାସିକ କୋଠାକୁ ୨୦୨୪ ଏପ୍ରିଲ ଓ ଡାକ୍ତରଖାନା ୨୦୨୪ ଜୁଲାଇରେ ଶେଷ କରିବାକୁ ଧାର୍ଯ୍ୟ ଥିଲା। କିନ୍ତୁ ଏବେ ସୁଦ୍ଧା ନିର୍ମାଣ କାମ ଶେଷ ହୋଇ ପାରିଲା ନାହିଁ । ପ୍ରାୟ ୪ ଥର ଅବଧି ଘୁଞ୍ଚିସାରିଲାଣି ।
ଏଲଆଣ୍ଡଟି ଉପରେ ୧୬୦ କୋଟି ଟଙ୍କା ଏବଂ ଏନସିସି ଉପରେ ୮୬ କୋଟି ଟଙ୍କାର ଜରିମାନା ଲଗାଯାଇଛି । ନିୟମ ଅନୁଯାୟୀ,ଯଦି କୌଣସି ଠିକା ସଂସ୍ଥା ସର୍ତ୍ତ ଅନୁଯାୟୀ ଠିକ୍ ସମୟରେ କାମ ଶେଷ ନ କରେ ସଂପୃକ୍ତ କମ୍ପାନି ଉପରେ ଚୁକ୍ତି ମୂଲ୍ୟର ୧୦ପ୍ରତିଶତ ଯାଏଁ ଜରିମାନା ରାଶି ବୃଦ୍ଧି କରାଯାଇପାରିବ ।
ତେବେ କେଉଁଦିନ କଟକ ବଡ଼ ମେଡିକାଲର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବ ତାକୁ ହିଁ ଦେଖିବାକୁ ବାକି ରହିଲା।