କନକ ବ୍ୟୁରୋ : ଗୋଟିଏ କି ଦୁଇଟି ନୁହେଁ ରାଜ୍ୟର ଅଧିକାଂଶ ବିଶ୍ବବିଦ୍ୟାଳୟରେ ନାହାନ୍ତି ସିଣ୍ଡିକେଟର ସଦସ୍ୟ । ସିଣ୍ଡିକେଟରେ ୧୮ ରୁ ୨୫ ଜଣ ସଦସ୍ୟ ରହିବା ପ୍ରାବଧାନ ରହିଛି । ତେବେ ଏହା ମଧ୍ୟରୁ କେଉଁଠି ୬ ଜଣ ତ କେଉଁଠି ୮ ଜଣ ସଦସ୍ୟ ରହିଛନ୍ତି । ଏକାଧିକ ବିଶ୍ବବିଦ୍ୟାଳୟରେ ନୋମିନେଟେଡ୍ ସଦସ୍ୟ ଏବଂ ନିର୍ବାଚିତ ସଦସ୍ୟ ନିଯୁକ୍ତ ହୋଇନାହାନ୍ତି । ଯାହା ଫଳରେ କୁଳପତି ଚୟନକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୨୪ ଅନୁସାରେ, ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି, କୁଳପତି ନିଯୁକ୍ତି, ସିଣ୍ଡିକେଟ ଏବଂ ସିନେଟର ପୁନଃ ଉଦ୍ଧାର କରିବାକୁ ନୂଆ ଅଧିନିୟମରେ ପ୍ରାବଧାନ ରହିଛି । 

Advertisment

ସିଣ୍ଡିକେଟ୍ ହେଉଛି ବିଶ୍ବବିଦ୍ୟାଳୟର ଗଭର୍ଣ୍ଣିଂ ବଡି। ବିଶ୍ବବିଦ୍ୟାଳୟର ଉନ୍ନତି, ଅର୍ଥ କାରବାର, ନୂଆ ଯୋଜନା ପ୍ରଚଳନ ଭଳି ଏକାଧିକ ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟ ତୁଲାଇଥାଏ ସିଣ୍ଡିକେଟ୍ । ବିଶ୍ବବିଦ୍ୟାଳୟରେ କୁଳପତିଙ୍କ ଅଧ୍ୟକ୍ଷତାରେ ସିଣ୍ଡିକେଟ୍ ଚାଲିଥାଏ । ଯେଉଁଥିରେ ପିଜି କାଉନସିଲ୍ ଅଧ୍ୟକ୍ଷ, DSWଙ୍କ ଭଳି ବିଭିନ୍ନ ପ୍ରାଶାସନିକ ବିଭାଗୀୟ ମୁଖ୍ୟମାନେ ତଥା ଏକ୍ସ ଅଫିସିଓ ସଦସ୍ୟ ଭାବେ ରହିଥା’ନ୍ତି । ଏହାଛଡ଼ା କୁଳାଧିପତି କିମ୍ବା ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା ନିଯୁକ୍ତ ୪ ଜଣ ବ୍ୟକ୍ତି ଏବଂ ସିନେଟର ସଦସ୍ୟଙ୍କୁ ମିଶାଇଲେ ମୋଟ ୧୮ ଜଣ ସଦସ୍ୟ ରହିଥା’ନ୍ତି । ଆଉ କୁଳପତି ନିଯୁକ୍ତ ସମୟରେ କୁଳାଧିପତିଙ୍କ ନୋମିନି, ୟୁଜିସି ନୋମିନିଙ୍କ ସମେତ ସିଣ୍ଡିକେଟ୍ ନୋମିନି ବି ଉପସ୍ଥିତ ରୁହନ୍ତି । ଯେହେତୁ ଅଧିକାଂଶ ବିଶ୍ବବିଦ୍ୟାଳୟରେ ସିଣ୍ଡିକେଟରେ କୋରମ୍ ହେଉନାହିଁ ତେଣୁ କୁଳପତି ନିଯୁକ୍ତି ନେଇ ଆଶଙ୍କା ସୃଷ୍ଟି ହୋଇଛି । ନିକଟରେ ରାଜ୍ୟର ୧୩ ଟି ବିଶ୍ବବିଦ୍ୟାଳୟ କୁଳପତି ଚୟନ ନିମନ୍ତେ ଆବେଦନ କରିବାକୁ ବିଦ୍ଧିବଧ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁଲାଇ ୫ ତାରିଖ ମଧ୍ୟରେ ଆବେଦନ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ତେବେ ସିଣ୍ଡିକେଟ୍ କୋରମ୍ ବିନା କିପରି କୁଳପତି ନିଯୁକ୍ତି ହେବ ସେନେଇ ପ୍ରଶ୍ନ ଉଠୁଛି ।