କନକ ବ୍ୟୁରୋ: ଆଇନର ଦୋଛକି ଭିତରେ ଧନ୍ଦି ହେଉଛି ଓଡ଼ିଶାର ୫ ବିଶ୍ବବିଦ୍ୟାଳୟ। ନା ଭିସି ଅଛନ୍ତି ନା ନୂଆ ନିଯୁକ୍ତି ମିଳୁଛି। କାରଣ ଏହା ପଛରେ ବାଧକ ସାଜିଛି ପୂର୍ବ ସରକାରଙ୍କ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦। ବିଜେଡି ସରକାର ଆଣିଥିବା ଆଇନ ପାଇଁ ବିଶ୍ବବିଦ୍ୟାଳୟ ଗୁଡିକରେ ସ୍ଥିତି ବିଗୁଡୁଥିବାବେଳେ ବେଳେ ଶୀତ ଅଧିବେଶନରେ ନୂଆ ସରକାର ଆଣିପାରନ୍ତି ପୁରୁଣା ବିଶ୍ବବିଦ୍ୟାଳୟ ଆଇନ।

Advertisment
  • ଓଡ଼ିଶାରେ ବିଶ୍ବବିଦ୍ୟାଳୟର ଅଚଳାବସ୍ଥା
  • ବିନା ଭିସିରେ ଚାଲିଛି ବିଶ୍ବବିଦ୍ୟାଳୟ
  • ନୂଆ ସରକାର ଆଣିବେ ପୁରୁଣା ଆଇନ!

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ବଡ ଧରଣର ବିବାଦ ଉପୁଜିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା।  ଯାହା ଉପରେ ରହିତାଦେଶ ଜାରି କରିଥିଲେ ସର୍ବୋଚ୍ଚ ଅଦାଲତ। ନୂଆ ସରକାର ଆସିବା ପରେ ପୂର୍ବ ସରକାର ଆଣିଥିବା ଆଇନରେ ସଂଶୋଧନ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗତ ଅଗଷ୍ଟ ୧୩ରେ ଚିଠି ଲେଖି ଅବଗତ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାରଣ ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ଉପରେ ସଙ୍କଟ ସୃଷ୍ଟି କରିଥିଲା ପୂର୍ବ ସରକାରଙ୍କ ଆଇନ। ଏସବୁ ଭିତରେ ଆଗକୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଚର୍ଚ୍ଚା ଅନୁସାରେ, ଏହି ଅଧିବେଶନରେ ହିଁ ପୂର୍ବ ସରକାର ବିଶ୍ବବିଦ୍ୟାଳୟକୁ ନେଇ ଆଣିଥିବା ଆଇନରେ ପଡିପାରେ ପୂର୍ଣ୍ଣଚ୍ଛେଦ। ଏନେଇ ପରୋକ୍ଷରେ ସଙ୍କେତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। 

ପୂର୍ବ ସରକାର ଆଣିଥିବା ଏହି ଆଇନ ପାଇଁ ୫ ବିଶ୍ବବିଦ୍ୟାଳୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଧରଣୀଧର ବିଶ୍ବବିଦ୍ୟାଳୟ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ବିନା ଭିସିରେ ଚାଲିଛି। ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଭିସିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ବସିଛି। ତେଣୁ ରାଜ୍ୟର ଅଧିକାଂଶ ବିଶ୍ବବିଦ୍ୟାଳୟ ଆଗକୁ ମୁରବୀଶୂନ୍ୟ ହେବାକୁ ବସିଛି। କେବଳ ଭିସି ନୁହନ୍ତି ବରଂ ବିଶ୍ବବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ମରୁଡି ଦେଖାଦେଲାଣି। ଯାହା ଶୈକ୍ଷିକ ବାତାବରଣ ଉପରେ ଭୟଙ୍କର ପ୍ରଭାବ ପକାଉଛି। କିନ୍ତୁ ନୂଆ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ନୀରବ ଥିବା ବେଳେ ୟୁଜିସିର ହାତବନ୍ଧା ହୋଇଛି। କାରଣ ପୂର୍ବ ସରକାର ଆଣିଥିବା ଆଇନ ନୂଆ ନିଯୁକ୍ତିରେ ବାଧକ ସାଜିଛି।

ପୂର୍ବ ସରକାର ଆଣିଥିବା ଆଇନ ବିଶ୍ବବିଦ୍ୟାଳୟ ଗୁଡିକରେ କେବଳ ଅଚଳାବସ୍ଥା ସୃଷ୍ଟି କରିନି ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଇଛି। ତେଣୁ ନୂଆ ସରକାର ପୂର୍ବ ଆଇନକୁ ହଟାଇ ପୁରୁଣା ଆଇନ କେବେ ଲାଗୁକରିବେ ଏବଂ ବିଶ୍ବବିଦ୍ୟାଳୟ ଗୁଡିକୁ ସ୍ବାଭାବିକ ସ୍ଥିତିକୁ ଆଣିବେ ତାହା ଉପରେ ନଜର ରହିଛି।