କନକ ବ୍ୟୁରୋ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ଦଳ ଭାବେ ଆମେରିକା ଗ୍ରୁପ୍ ପର୍ଯ୍ୟାୟ ଅଭିଯାନ ଶେଷ କରିଛି । ନିଜ ଶେଷ ଲିଗ୍ ମ୍ୟାଚ୍ରେ ଆମେରିକା ୩୧ ରନ୍ରେ ନାମିବ୍ୟାକୁ ପରାସ୍ତ କରିଛି । ୪ରୁ ୨ ବିଜୟ ସହ ଏହି ଦଳ ୪ ପଏଣ୍ଟ୍ ପାଇଥିଲେ ମଧ୍ୟ ସୁପର୍-୮ ପ୍ରବେଶ ଯୋଗ୍ୟତାକୁ ନିଶ୍ଚିତ କରିପାରିନାହିଁ । ତଥାପି ଗ୍ରୁପ୍ ‘ଏ’ର ଅନ୍ୟ ଫଳାଫଳକୁ ଅପେକ୍ଷା କରିବ ଭାରତୀୟ ବଂଶୋଦ୍ଭବ ମୋନାଙ୍କ ପଟେଲଙ୍କ ଦଳ ।
ଏହା ବି ପଢ଼ନ୍ତୁ: ପ୍ରେମଦାସାରେ ୧୮ ହଜାର ଭାରତୀୟ, ୧୨ ହଜାର ପାକିସ୍ତାନୀ ପ୍ରଶଂସକ
ରବିବାର ସଂଜୟ କୃଷ୍ଣମୂର୍ତ୍ତି (୩୩ ବଲ୍ରୁ ୬୮* ରନ୍), ମୋନାଙ୍କ ପଟେଲ୍ (୩୦ ବଲ୍ରୁ ୫୨ ରନ୍), ମିଳିନ୍ଦ କୁମାର (୨୦ ବଲ୍ରୁ ୨୮ ରନ୍), ସାୟନ ଜାହାଙ୍ଗୀର (୧୮ ବଲ୍ରୁ ୨୨ ରନ୍)ଙ୍କ ବଳରେ ଆମେରିକା ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୯ ରନ୍ କରିଥିଲା । ୭ ଜଣ ବୋଲିଂ କରିଥିବାବେଳେ ଗେରାର୍ଡ ଏରାସମସ ଓ ୱିଲେମ୍ ମାଇବର୍ଗ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ନାମିବ୍ୟା ଖୁବ୍ ଲଢ଼ିଥିଲେ ମଧ୍ୟ ୧୬୮/୬ରେ ସୀମିତ ରହିଯାଇଥିଲା । ଓପନର୍ ଲୌରେନ୍ ଷ୍ଟିନ୍କ୍ୟାମ୍ପ୍ (୩୯ ବଲ୍ରୁ ୫୮ ରନ୍)ଙ୍କ ବ୍ୟତୀତ ଅନ୍ୟ କେହି ଲଢ଼ି ପାରିନଥିଲେ । ସାଡ୍ଲେ ଭାନ ଶ୍ଚଲୱିକ୍ ୨ ୱିକେଟ୍ ନେଇ ଅଗ୍ରଣୀ ବୋଲର୍ ଭାବେ (୧୩) ବ୍ୟବଧାନକୁ ଆହୁରି ଆଗକୁ ନେଇଛନ୍ତି । ୨୭ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିବା ସଂଜୟ କୃଷ୍ଣମୂର୍ତ୍ତି (୬୮*) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ ।
Follow Us