କନକ ବ୍ୟୁରୋ : ସାରା ରାଜ୍ୟରେ ଚାଲିଛି କଂଗ୍ରେସର ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ । ପର୍ଯ୍ୟବେକ୍ଷକମାନେ ସୃଜନ ବୈଠକ ମାଧ୍ୟମରେ ଖୋଜୁଛନ୍ତି ଜିଲ୍ଲା ସଭାପତି । ସବୁ ଜିଲ୍ଲାରେ ଡଜନେରୁ ଅଧିକ ନେତା ଆଶାୟୀ ଥିବାବେଳେ ସୃଜନ ବୈଠକରେ ଗୋଷ୍ଠୀ ବିବାଦ ପଦାରେ ପଡ଼ିଛି । କୋରାପୁଟ ଜିଲ୍ଲାରେ ସୃଜନ ସଂଗଠନ ଅଭିଯାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଦଳରୁ ବହିଷ୍କୃତ ହୋଇଥିବା ନେତା କାହିଁକି ବୈଠକକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଜୟପୁର ବିଧାୟକ ତାରା ବାହିନୀପତି । ସଭାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁ ତୁ ମେ ମେ ହୋଇଥିଲା ।
ଖଲ୍ଲିକୋଟରେ କଂଗ୍ରେସର ସଂଗଠନ ସୃଜନ ଅଭିଯାନ ବୈଠକ ଅଧାରୁ ବନ୍ଦ । କଂଗ୍ରେସର ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଭାଷଣରେ କଂଗ୍ରେସ କର୍ମୀମାନେ ୨୦୨୪ ନିର୍ବାଚନରେ ଅନ୍ୟ ଦଳକୁ ବିକ୍ରି ହୋଇଥିବା କହିବା ପରେ ରଣକ୍ଷେତ୍ର ପାଲଟିଥିଲା ସଭାସ୍ଥଳ । ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀ ହୋହଲ୍ଲା କରିଥିଲେ । ଏହା ପରେ ସଭା ଅଧାରୁ କଂଗ୍ରେସ କର୍ମୀ ବୈଠକ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ । ସେପଟେ ପାରାଦୀପରେ ବି ସମାନ ଅବସ୍ଥା । ସୃଜନ ବୈଠକରେ ପୂର୍ବତନ ଏସସି ସେଲର ସଭାପତିଙ୍କୁ ମାଡ଼ ମରା ଯାଇଥିବା ନେଇ ଅଭିଯୋଗ । ହୋହଲ୍ଲା ଏମିତି ହେଲା ଯେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ଜିଲ୍ଲା ସଭାପତି ହେବା ପାଇଁ ରାଜ୍ୟରେ ଚାଲିଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପିସିସି ସଭାପତି । ଜିଲ୍ଲା ସଭାପତି ଆଶାୟୀଙ୍କ ଲମ୍ବା ତାଲିକା ପର୍ଯ୍ୟବେକ୍ଷକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଭଡ଼ାରେ କର୍ମୀଙ୍କୁ ଆଣି ସୃଜନ ପର୍ଯ୍ୟବେକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ଆଶାୟୀ । ଜିଲ୍ଲାସ୍ତରର ପ୍ରଭାବଶାଳୀ ନେତା ମାନେ ନିଜ ଅନୁଗତଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି ।