କନକ ବ୍ୟୁରୋ : ୨୨ ସେପ୍ଟେମ୍ବର ସୋମବାରଠାରୁ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି । ଏ ନେଇ ଚଳଚଞ୍ଚଳ ହୋଇ ଉଠିଛି ଦେଶର ବିଭିନ୍ନ ଶକ୍ତିପୀଠ । ଭାରତରେ ଏପରି ଅନେକ ଦେବୀ ମନ୍ଦୀର ବା ଶକ୍ତିପୀଠ ରହିଛି ଯେଉଁଠି ନବରାତ୍ର ସମୟରେ ପୂଜାପାଠ କରିବାପାଇଁ ଭକ୍ତମାନଙ୍କର ଭିଡ଼ ଜମେ । ହେଲେ ଛତିଶଗଡ଼ରେ ଏମିତି ଏକ ମନ୍ଦିର ଅଛି ସେଠାରେ ସବୁ ସମୟରେ ଶ୍ରଦ୍ଧାଳୁମାନଙ୍କର ଲାଗିଥାଏ ଗହଳି । କିନ୍ତୁ ସବୁ ମନ୍ଦିର ପରି ଏଠି ମା ’ ଙ୍କ ପାଖରେ ଫଳମୂଳ କି ମିଠା ପିଠା ଲାଗିହୁଏନି । ଏଠି ପ୍ରସାଦ ଭାଗରେ ଲାଗିହୁଏ ପଥର । ଆସନ୍ତୁ ଜାଣିବା ଏହି ଅନନ୍ୟ ମନ୍ଦିରର ରହସ୍ୟ ।
ଛତିଶଗଡ଼ ବିଲାସପୁରରେ ମାତା ବଗଦାଇ ବନଦେବୀ ମନ୍ଦିର ଧାମ ଅବସ୍ଥିତ । ଏଠାକୁ ଦୂର ଦୂରାନ୍ତରୁ ଭକ୍ତମାନେ ପୂଜାପାଠ ପାଇଁ ଆସିଥାନ୍ତି । ଏହି ମନ୍ଦିରଟି ନିଜର ପରମ୍ପରା ଏବଂ ଭକ୍ତମାନଙ୍କ ବିଶ୍ୱାସ ପାଇଁ ସାରା ଦେଶରେ ପ୍ରସିଦ୍ଧ । ସାଧାରଣତଃ ସବୁ ମନ୍ଦିରରେ ଦେବୀ ଦେବତାଙ୍କୁ ଫୁଲ, ଫଳ, ମିଠା ଭଳି ପ୍ରସାଦ ଅର୍ପଣ କରାଯାଏ, କିନ୍ତୁ ଏହି ମନ୍ଦିରରେ ମା’ ବଗଦାଇଙ୍କୁ ପ୍ରସାଦ ଭାବରେ ପଥର ଚଢ଼ାଯାଏ । ଏହି ଅନନ୍ୟ ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି ଏବଂ ଶ୍ରଦ୍ଧାଳୁମାନେ ଏହାକୁ ଭକ୍ତି ଓ ବିଶ୍ୱାସର ସହିତ ପାଳନ କରନ୍ତି ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମା’ ବଗଦାଇ ବନ ଦେବୀଙ୍କୁ 'ପଥର ଦେବୀ' ମଧ୍ୟ କୁହାଯାଏ । ମାନ୍ୟତା ରହିଛି ଯେ ମା’ ସ୍ୱୟଂ ଏହି ପଥରଗୁଡ଼ିକରେ ବାସ କରନ୍ତି । ଯେତେବେଳେ କୌଣସି ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ନିଜର କିଛି ମାନସିକ ରଖି ଆସିଥାଆନ୍ତି , ସେମାନେ ନିଜ ସାଙ୍ଗରେ କିଛି ଛୋଟ ଛୋଟ ପଥର ଖଣ୍ଡ ନେଇକି ଆସନ୍ତି । ମାନସିକ ପୂରଣ ହେବା ପରେ, ଶ୍ରଦ୍ଧାଳୁମାନେ ପୁଣି ଥରେ ମା’ଙ୍କ ଦର୍ଶନ ପାଇଁ ଆସି ପଥର ଅର୍ପଣ କରନ୍ତି । ଏହି ପଥରଗୁଡ଼ିକୁ ମନ୍ଦିର ପରିସରରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠୁଳ କରି ରଖାଯାଏ । ପଥର ଠୁଳ କରାଯାଇଥିବା ସ୍ଥାନଗୁଡ଼ିକ ସମୟକ୍ରମେ ବଢ଼ି ବଢ଼ି ଯାଇ ଏକ ବଡ଼ ପାହଡରେ ପରିଣତ ହୋଇଛି, ଯାହା ମା’ଙ୍କ ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ ଓ ଶ୍ରଦ୍ଧାକୁ ପ୍ରତିଫଳିତ କରେ ।
ବନଦେବୀ ମନ୍ଦିରର ପୂଜାରୀ ଅଶ୍ୱିନୀ ତିୱାରୀଙ୍କ କହିବା ଅନୁସାରେ ଏହି ମନ୍ଦିରର ସ୍ଥାପନା ଏବଂ ଦେବୀଙ୍କ କାହାଣୀ ଅତ୍ୟନ୍ତ ରୋଚକ । ପ୍ରାୟ ୧୦୦ ବର୍ଷ ପୂର୍ବେ ଏଠାରେ ଏକ ଘଞ୍ଚ ଜଙ୍ଗଲ ଥିଲା , ଏହି ଜଙ୍ଗଲରେ ବନ୍ୟଜନ୍ତୁମାନେ ରହୁଥିଲେ । ସେହି ସମୟରେ ଜଣେ ମେଣ୍ଢା ଚରାଳିକୁ ମାତା ବନଦେବୀଙ୍କ ଦର୍ଶନ ହୋଇଥିଲା । ଦେବୀ ମାଆ ସ୍ୱପ୍ନରେ ଆସି କହିଥିଲେ ଯେ ସେ ଜଙ୍ଗଲରେ ବିରାଜମାନ କରିଛନ୍ତି । ଯେତେବେଳେ ମେଣ୍ଢା ଚରାଳି ଜଣକ ଜଙ୍ଗଲ ଭିତରକୁ ଯାଇ ଦେଖିଲେ, ସତରେ ମାତାଙ୍କ ମୂର୍ତ୍ତି ଦେଖାଗଲା । ସେ ମାତାଙ୍କୁ କହିଲେ କି ମୁଁ ତ ଗରିବ ,ପୂଜା କରିବା ପାଇଁ ପାଖରେ କିଛି ନାହିଁ । ଏଣେତେଣେ ଚାହିଁବା ପରେ କ୍ଷେତରେ ପଡ଼ିଥିବା ଛୋଟ ପଥରଟିକୁ ଶ୍ରଦ୍ଧାରସହ ମା’ଙ୍କୁ ନୈବେଦ୍ୟ ରୂପରେ ଅର୍ପଣ କରିଥିଲେ । ସେହି ଦିନଠାରୁ ଏଠାରେ ପଥର ଚଢ଼ାଇବାର ପରମ୍ପରା ଆରମ୍ଭ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ଏହା ଜାରି ରହିଛି । ଏହି ବନଦେବୀ ମନ୍ଦିରଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ପ୍ରକୃତିର ସୁନ୍ଦର ପରିବେଶ ମଧ୍ୟରେ ଏହି ମନ୍ଦିରର ଉପସ୍ଥିତି ଏହାକୁ ଆହୁରି ଆକର୍ଷଣୀୟ କରିଥାଏ । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ବିଶେଷ କରି ମଙ୍ଗଳବାର ଏବଂ ଶନିବାର ଦିନ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ମା’ ବଗଦାଇ ବନ ଦେବୀଙ୍କ ପ୍ରତି ଲୋକଙ୍କର ଗଭୀର ଆସ୍ଥା ରହିଛି ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ମା’ ସେମାନଙ୍କର ସମସ୍ତ ମନସ୍କାମନା ପୂରଣ କରନ୍ତି ଏବଂ ସେମାନଙ୍କୁ ସବୁ ପ୍ରକାର ବିପଦରୁ ରକ୍ଷା କରନ୍ତି ।
ଏହି ଅନନ୍ୟ ପରମ୍ପରା କେବଳ ଛତିଶଗଡ଼ରେ ନୁହେଁ, ବରଂ ସମଗ୍ର ଭାରତରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । ଏହା ସୂଚାଇ ଦିଏ ଯେ ଆମ ଦେଶରେ ବିଭିନ୍ନ ପ୍ରକାରର ପୂଜା ପଦ୍ଧତି ଓ ବିଶ୍ୱାସ ରହିଛି, ଯାହା ପ୍ରତ୍ୟେକଟିର ନିଜସ୍ୱ ମହତ୍ତ୍ୱ ରହିଛି । ମା’ ବଗଦାଇ ବନ ଦେବୀଙ୍କ ଏହି ମନ୍ଦିର ପ୍ରକୃତି ଏବଂ ଆଧ୍ୟାତ୍ମିକତା ମଧ୍ୟରେ ଏକ ସୁନ୍ଦର ସମ୍ପର୍କର ପ୍ରତୀକ ଭାବରେ ଛିଡ଼ା ହୋଇଛି ।