କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ସେବାୟତ ପରିବାରର ନିଆରା ପର୍ବ । ୯ ବର୍ଷରୁ କମ୍ ବୟସର କୁମାରୀ କନ୍ୟାମାନେ ୨୧ ଦିନ ଧରି ପାଳନ କରିଥାନ୍ତି ନେତକନ୍ୟା ଉତ୍ସବ । ଭଲ ବର ଓ ଭଲ ଘର ପାଇବା ଆଶାରେ ହରପାର୍ବତୀଙ୍କୁ କରିଥାନ୍ତି ପୂଜାର୍ଚ୍ଚନା । ପାରମ୍ପରିକ ବେଶଭୂଷା ସାଙ୍ଗକୁ ନାନାଦି ଅଳଙ୍କାରରେ ସୁସଜ୍ଜିତ କୁନି କୁନି ଝିଅ । ପୁରୀ ମାର୍କଣ୍ଡ ପୁଷ୍କରିଣୀରେ ମାଆ ବୃନ୍ଦାବତୀଙ୍କ ନିକଟରେ ନିଷ୍ଠାର ସହ କରୁଛନ୍ତି ପୂଜାର୍ଚ୍ଚନା । ଶ୍ରୀକ୍ଷେତ୍ରର ଏ ପରଂପରା କାହିଁ କେତେ ପୁରୁଣା । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ସେବାୟତ ପରିବାରର ଶହ ଶହ ବର୍ଷର ଏ କୌଳିକ ପ୍ରଥା । ୯ ବର୍ଷରୁ କମ୍ ବୟସର କୁମାରୀ କନ୍ୟାମାନେ ଆଶ୍ବିନ ପ୍ରତିପଦାଠାରୁ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ ।
ଭଲ ବର ଓ ଭଲ ଘର ପାଇବା ପାଇଁ କୁମାରୀମାନଙ୍କ ଏ ବ୍ରତ। ପଞ୍ଚମୀ ତିଥିରେ ନେତକନ୍ୟାମାନେ ଗୁଆଲୀ ବେଶରେ ଘରୁ ବାହାରି ଉପବାସ କରି ସକାଳୁ ସୂର୍ଯ୍ୟପୂଜା କରିଥାଆନ୍ତି । ପରେ ପାରମ୍ପରିକ ବେଶଭୂଷାରେ ହରପାର୍ବତୀଙ୍କୁ କରିଥାନ୍ତି ପୂଜା । ଉପବାସ ରହି ଘରେ ୧୭ ଦିନ ଏବଂ ୪ ଦିନ ସୁନ୍ଦର ସୁନ୍ଦର ବେଶଭୂଷା ହୋଇ ପୂଜାର୍ଚ୍ଚନା କରିଥାନ୍ତି କୁମାରୀମାନେ । କୁମାର ପୂର୍ଣ୍ଣିମା ଦିନ ମାନସିକ ଗୁଆକୁ ବିସର୍ଜନ କରି ଚାନ୍ଦ ଉତ୍ସବ କରିବା ସହ ନଡ଼ିଆରେ ଖିରି ପ୍ରସ୍ତୁତ କରି ଖାଇଥାନ୍ତି। ଅଢ଼େଇ ବର୍ଷ ବୟସର କୁମାରୀ କନ୍ୟାମାନେ ଏହି ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ୩ ବର୍ଷ ଓ ୫ ବର୍ଷର ମାନସିକ ରଖିଥାନ୍ତି।