କନକ ବ୍ୟୁରୋ: ବିନା ମାଟି ଓ ବିନା ରାସାୟନିକ ସାରରେ ପରିବା ଚାଷ କରିଛନ୍ତି ସ୍ୱାଧୀନ କୁମାର । ଚାରିଆଡ଼େ ଧଳାରଙ୍ଗର ପଲିଥିନ ଭିତରେ ରହିଛି ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା । ଅନେକ ପ୍ରକାର ସବୁଜ ରଙ୍ଗର ପରିବା ଫଳୁଛି । ନୂଆ ଜ୍ଞାନ କୌଶଳରେ କୋରାପୁଟରେ ଏହି ଚାଷ କରିଛନ୍ତି ଏନଆଇଟି ଛାତ୍ର ସ୍ୱାଧୀନ କୁମାର । ସେଲେରି, ଚେରି ଟମାଟୋ, ଗ୍ରୀନ୍ ଲେଟ୍ୟୁସ, ରେଡ୍ ଲେଟ୍ୟୁସ, କ୍ୟାପ୍ସିକମ୍, ଚାଇନିଜ୍ କ୍ୟାବେଜ ଭଳି ବିଦେଶୀ ପରିବା ଚାଷ ହୋଇଛି ।
କାଲେ, ପାର୍ସ୍ଲେ, ଥାଇମ ଓ ମିଣ୍ଟ ଭଳି ପତ୍ରଜାତୀୟ ଚାଷ ମଧ୍ୟ ସ୍ୱାଧୀନ କୁମାର କରିଛନ୍ତି । ଏହି ପନିପରିବା ଓ ପତ୍ରରେ ଭରପୂର ପୋଷକ ତତ୍ତ୍ୱ ଏବଂ ଔଷଧୀୟ ଗୁଣ ରହିଛି । ଯାହା ବିଶେଷକରି ବିଦେଶରେ ହୋଇଥାଏ । ଦାମ୍ ମଧ୍ୟ ଅଧିକ । ଏହାକୁ ସାଲାଡ ଓ ପାନୀୟରେ ବ୍ୟବହାର କରାଯାଏ । ଯାହାକି ବଡ଼ ବଡ଼ିଆଙ୍କ ପ୍ରଥମ ପସନ୍ଦ । ଆନେକ ରୋଗରୁ ମଧ୍ୟ ଉପଶମ ଦେଇଥାଏ ଏହି ପରିବା । ଯେଉଁଥିରେ ଅଧିକ ପରିମାଣର କ୍ୟାଲୋରୀ, ଭିଟାମିନ୍ ଓ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି ।
ହାଇଡ୍ରୋପୋନିକ ପ୍ରଣାଳୀରେ ଏହି ଚାଷ କରିଛନ୍ତି ସ୍ୱାଧୀନ କୁମାର । କୋକୋପିଟରେ ବିଭିନ୍ନ ଜୈବିକ ସାର ଦେଇ ଚାଷ କରାଯାଉଛି । ସ୍ୱାଧୀନ କୁମାର ୪- ୫ ଜଣ କର୍ମଚାରୀ ନିୟୋଜିତ କରିବା ସହ ଏଥିରୁ ଭଲ ରୋଜଗାର କରୁଛନ୍ତି । ନୂଆ ପ୍ରକାରର ଚାଷ ହୋଇଥିବାରୁ କର୍ମଚାରୀମାନେ ମଧ୍ୟ ଖୁସି ଅନୁଭବ କରୁଛନ୍ତି ।
ବିଦେଶରୁ ଚାରା ଓ ବିହନ ଆଣି ପ୍ରଥମ ଥର ପାଇଁ କୋରାପୁଟରେ ଏଭଳି ପ୍ରଣାଳୀରେ ଚାଷ କରାଯାଇଛି । ରାୟପୁର, ପୁନେ, ହାଇଦ୍ରାବାଦ, କୋଲକାତା ଓ ଭୁବନେଶ୍ବରର ବଡ଼ବଡ଼ ହୋଟେଲକୁ ପଠାଯାଉଛି । ଏକର ଏକର ଜାଗାରେ ହୋଇଛି ଏହି ଫାର୍ମ । କମ୍ ଜମି, କମ୍ ପାଣି ଓ କମ୍ ପରିଶ୍ରମରେ ଏହି ଚାଷରୁ ଭଲ ରୋଜଗାର ହେଉଛି ।