କନକ ବ୍ୟୁରୋ: ଦୁଇଜଣ ଯୁବକଙ୍କ ନିଆରା ପ୍ରୟାସ । ପିଲାଦିନୁ ଇଚ୍ଛା ଥିଲା, ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ଦେବା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦେଖାଇଲା ବାଟ । ଏବେ ସେମାନେ ନିଜ ଗାଁରେ କରିଛନ୍ତି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ କୁକୁଡ଼ା ଫାର୍ମ । ବାର୍ଷିକ ଚାଳିଶ ଲକ୍ଷ ଟଙ୍କାର ବ୍ୟବସାୟ କରିବା ସହିତ ଦଶଜଣଙ୍କୁ ଦେଇଛନ୍ତି ନିଯୁକ୍ତି ସୁଯୋଗ ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ କଣ୍ଟାମାଳିଆ ଗାଁର ମୃତ୍ୟୁଞ୍ଜୟ ନାୟକ ଓ ଦୀପକ ରଞ୍ଜନ ବଳ । ପାଠପଢ଼ା ପରେ ନିଜେ କିଛି କରି ରୋଜଗାର କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ବର୍ଷକ ତଳେ ଗାଁ ନିକଟରେ ପଡ଼ିଆ ପଡ଼ିଥିବା ୧୮ ଗୁଣ୍ଠ ଜମିରେ ଆରମ୍ଭ କରିଥିଲେ କୁକୁଡ଼ା ଫାର୍ମ । ପ୍ରାଥମିକ ପର୍ଯ୍ୟାୟରେ ନିଜସ୍ୱ ପାଣ୍ଠିରେ କୁକୁଡ଼ା ଫାର୍ମ କରିଥିଲେ । ଏମାନଙ୍କ ବ୍ୟବସାୟକୁ ନୂଆ ଦିଗ ଦେଖାଇଛି ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା । ଆପିକଲ ସହାୟତାରେ ୪୮ ଲକ୍ଷ ଟଙ୍କା ସହାୟତା ପାଇ ବ୍ୟବସାୟକୁ ନୂଆରୂପ ଦେଇଛନ୍ତି । ବର୍ତ୍ତମାନ ତାଙ୍କ କୁକୁଡ଼ା ଫାର୍ମରେ ୧୮ ହଜାର କୁକୁଡା ଚିଆଁ ରଖାଯାଇଛି ।
ମୃତ୍ୟୁଞ୍ଜୟ ଓ ଦୀପକ ପ୍ରଥମେ ୫୦ ଲକ୍ଷ ଟଙ୍କାରେ କୁକୁଡ଼ା ଫାର୍ମ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ୯୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଫାର୍ମରେ କୁକୁଡ଼ା ଚିଆଁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଉତ୍ତାପ ନିୟନ୍ତ୍ରଣ ପାଇଁ ଲାଗିଛି ବଡ଼ବଡ଼ ଏସି । ବ୍ୟବସାୟ ଆରମ୍ଭ ବେଳେ ବିଶେଷ ବୈଷୟିକ ଜ୍ଞାନ ନଥିବାରୁ କିଛିଦିନ ଭିତରେ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । ଏହା ପରେ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଓ ବୈଷୟିକ ସହାୟତା ମିଳିବା ପରେ ପ୍ରତି ଦୁଇମାସ ଅନ୍ତରରେ ଚିଆଁଗୁଡ଼ିକୁ ଚୁକ୍ତି ହୋଇଥିବା ଘରୋଇ କମ୍ପାନିକୁ ବିକ୍ରି କରାଯାଉଛି । ୫- ୬ ଲକ୍ଷ ଟଙ୍କା ଲାଭ ସହିତ ସେମାନେ ୧୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଆତ୍ମନିର୍ଭରଶୀଳ ହେବା ପାଇଁ ଏହି ଦୁଇ ଶିକ୍ଷିତ ଯୁବକଙ୍କ ପ୍ରୟାସ ଅନ୍ୟ ବେକାର ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ।