କନକ ବ୍ୟୁରୋ : ଡ୍ରାଗନ ଫ୍ରୁଟ୍ସ.. ଯାହା ମେକ୍ସିକୋ ଏବଂ ମଧ୍ୟ ଆମେରିକାର ମୂଳ, କିନ୍ତୁ ବର୍ତ୍ତମାନ ସାରା ବିଶ୍ୱରେ ଚାଷ କରାଯାଉଛି । ଗୋଲାପୀ ଏବଂ ହଳଦୀଆ ରଙ୍ଗର ଏହି ଫଳର ସ୍ବାଦ ମିଠା ଏବଂ ଦେହ ପାଇଁ ଭାରି ଉପକାରୀ । ଫାଇବର, ଆଣ୍ଟି ଅକ୍ସିଡାଣ୍ଟ, ବିଭିନ୍ନ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଏକ ଭଲ ଉତ୍ସ । ବଜାରରେ ମଧ୍ୟ ଏହି ଫଳର ଦାମ୍ ୨୦୦ ଟଙ୍କାରୁ ଅଧିକ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ବିପୁଲିଙ୍ଗି ଗାଁର ସୁରେଶ ଦାସ ଡ୍ରାଗନ ଫ୍ରୁଟ୍ସ ଭଳି ବିଦେଶୀ ଫଳ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି । ୩ ବର୍ଷ ପୂର୍ବରୁ କରୋନା ସମୟରେ ୟୁଟ୍ୟୁବରୁ ପ୍ରଶିକ୍ଷଣ ନେଇ ସେ ଏହି ଚାଷ ଆରମ୍ଭ କରିଛନ୍ତି । ଉଦ୍ୟାନ ବିଭାଗ ପକ୍ଷରୁ ଚାରା କିଣି ଏକ ଏକର ଜମିରେ ରୋପଣ କରିଛନ୍ତି। ଏବେ ସବୁ ଖର୍ଚ୍ଚ ଯାଇ ମାସକୁ ୩୦ ହଜାର ଟଙ୍କା ଲାଭ ମିଳୁଛି ।
ଏପ୍ରିଲ ମାସ ଠାରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଭଲ ଫଳ ଆସିଥାଏ । ଥରେ ଗଛ ଲଗାଇଲେ ୨୫ ବର୍ଷ ପର୍ଯ୍ୟନ୍ତ ଏହି ଗଛ ବଂଚିଥାଏ । ଉପଯୁକ୍ତ ଯତ୍ନ ନେଲ ଦୀର୍ଘଦିନ ପର୍ଯ୍ୟନ୍ତ ଫଳ ଅମଳ ହୁଏ। ଏହା ଏକ ଲାଭଜନକ ଚାଷ ହୋଇଥିବାରୁ ଯୁବଚାଷୀ ଜଣଙ୍କ ଏକ ଏକର ଜମିରେ ୧ ହଜାର ଗଛ ଲଗାଇଛନ୍ତି । ପ୍ରଥମେ ଗଛର ଚାରା ପୋତିବା ପରେ ଏକ ସିମେଣ୍ଟ କଂକ୍ରିଟ ପୋଲ୍ ତିଆରି କରିବାକୁ ପଡ଼ିଥାଏ । ସେଥିରେ ଗଛକୁ ବାନ୍ଧି ରଖିବାକୁ ପଡ଼େ । ଗଛ ବଢ଼ିବା ସହ ଫଳ ଆସିବାରେ ଏହା ସହାୟକ ହୋଇଥାଏ । ଅମଳ ହେଉଥିବା ଫଳକୁ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିକ୍ରି ପାଇଁ ପଠାଉଛନ୍ତି ସୁରେଶ ।
କିଲୋ ପ୍ରତି ୫୦ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୮୦ ଟଙ୍କାରେ ବିକ୍ରି ହେଉଛି । ସୁରେଶ ଏହି ଫଳଗଛର ଯତ୍ନ ନେବା ପାଇଁ ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଗଛରେ ପାଣିଦେବା, ଫଳ ତୋଳିବା, ଜମିରୁ ଘାସ ବାଛିବା ଭଳି କାମ କରୁଛନ୍ତି କର୍ମଚାରୀ ।