କନକ ବ୍ୟୁରୋ: କେନ୍ଦ୍ର ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଶନିବାର ବଡ଼ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ତାଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ପଦର ପ୍ରସ୍ତାବ ରଖିଥିଲେ । ମାତ୍ର ମୁଁ ଏହାକୁ ଅସ୍ଵୀକାର କରିଥିଲି। ସାମ୍ବାଦିକଙ୍କ ପୁରସ୍କାର ସମାରୋହରେ ଗଣମାଧ୍ୟମ ଜଗତକୁ ସମ୍ବୋଧନ କରି ନୀତିନ ଗଡ଼କରୀ କହିଛନ୍ତି, ମୁଁ ସେହି ନେତାଙ୍କୁ ଜଣାଇ ଦେଇଥିଲି ଯେ ମୁଁ ଗୋଟିଏ ବିଚାରଧାରା ଓ ବିଶ୍ଵାସର ପାଳନ କରୁଥିବା ବ୍ୟକ୍ତି ।ର୍ଯ୍ୟ
ମୁଁ ଏମିତି ଏକ ପାର୍ଟିରୁ ଆସିଛି, ଯିଏ ମୋତେ ସବୁ କିଛି ଦେଇଛି ଯାହାର ମୁଁ କେବେ କଳ୍ପନା କରି ନ ଥିଲି। କୌଣସି ବି ପ୍ରସ୍ତାବ ମୋତେ ପ୍ରଲୋଭିତ କରି ପାରିବ ନାହିଁ। ଭାଷଣ ସମୟରେ ଗଡ଼କରୀ ସେହି ନେତାଙ୍କ ନା ନେଇଥିଲେ । କହିଥିଲେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଣେ ବରିଷ୍ଠ ନେତା ମୋ ସହ ଯୋଗାଯୋଗ କରିଥିଲେ । ସେହି ସମୟରେ କୁହାଯାଉଥିଲା ବିଜେପି ପୂର୍ଣ୍ଣ ବହୁମତ ହାସଲ କରି ପାରିବ ନାହିଁ ଏବଂ ସରକାର ଗଠନ ପାଇଁ କିଛି ବିରୋଧୀ ଦଳ ନେତାଙ୍କ ସମର୍ଥନ ଆବଶ୍ୟକ ପଡ଼ିପାରେ । ମୁଁ ନେତାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲି ଯେ, ମୁଁ କିଛି ସିଦ୍ଧାନ୍ତ ଓ ବିଶ୍ଵାସ ସହିତ ବଡ଼ ହୋଇଛି । ଏହା ସହିତ କୌଣସି ପ୍ରକାରର ସାଲିସ କରି ପାରିବି ନାହିଁ ।
ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁତମ ହାସଲ କରି ପାରିନି । ଦଳ ୨୪୦ ସିଟ୍ ଜିତିଥିବା ବେଳେ ଟିଡିପି, ଜେଡିୟୁ ପରି ଦଳର ସହଯୋଗରେ ମେଣ୍ଟ ସରକାର ଗଠନ କରିଛି । ୨୦୧୪ ଓ ୨୦୧୯ର ଲୋକସଭା ନିର୍ବାଚନରେ ବିଜେପିକୁ ଏକାକୀ ବହୁମତ ମିଳିଥିଲା । କଂଗ୍ରେସ ନେତୃତ୍ଵରେ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ କରି ବିଜେପିକୁ କଡ଼ା ଟକ୍କର ଦେଇଥିଲା । ଫଳରେ ୪୦୦ ପାରର ନାରା ଦେଉଥିବା ଏନଡିଏ ୨୯୨ ଆସନରେ ସୀମିତ ରହିଥିଲା ।