କନକ ବ୍ୟୁରୋ : ହନୁମାନ ଜୟନ୍ତୀ ପାଇଁ ରାଜ୍ୟବ୍ୟାପୀ ଉତ୍ସବର ମାହୋଲ । ସମ୍ବଲପୁରରେ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝରରେ ହନୁମାନ ଜୟନ୍ତୀ ପାଳନ କରିବା ସହ ଝଣ୍ଡା ଶୋଭାଯାତ୍ରାରେ ଚାଲିଚାଲି ବୁଲିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଭଗବାନ ହନୁମାନଙ୍କ ନିକଟରେ ଆଳତୀ କରିବା ପରେ ହଜାର ହଜାର ଲୋକଙ୍କ ସହ ଚାଲିଚାଲି ଯାତ୍ରା କରିଛନ୍ତି । ହାତରେ ଠେଙ୍ଗା ଧରି ଜୟ ଶ୍ରୀରାମ ନାରା ଦେଇଛନ୍ତି । ସେହିପରି ଶୋଭାଯାତ୍ରାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସାମିଲ ହୋଇଛନ୍ତି । ଉତ୍ସବ ପାଳନ ଆଳରେ ନିର୍ବାଚନ ମଣ୍ଡଳୀ ବାସୀଙ୍କ ନିକଟତର ହୋଇଛନ୍ତି ଉଭୟ ନେତା ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ହାଇ ଆଲର୍ଟରେ ପୂରା ସହର । ସମ୍ବେଦନଶୀଳ ସ୍ଥାନ ମାନଙ୍କ ଘର ଉପରେ ମଧ୍ୟ ପୋଲିସ ମୁତୟନ କରାଯାଇଛି । ପୂରା ସହରରେ ମୁତୟନ ହୋଇଛି ୫୩ ପ୍ଲାଟୁନ ଫୋର୍ସ । ଭୁତାପଡା ଛକରୁ ଧନକଉଡ଼ା ପର୍ଯ୍ୟନ୍ତ ପୋଲିସର ସମ୍ପୂର୍ଣ ଛାଉଣୀ କରାଯାଇଛି । ଗତବର୍ଷ ରାଲି ବନ୍ଦ ରହିଥିବାରୁ ଚଳିତ ବର୍ଷ ହନୁମାନ ଜୟନ୍ତୀକୁ ଆହୁରି ଭବ୍ୟ ଆକାରରେ ପାଳନ କରାଯାଉଛି ।
ହନୁମାନ ଜୟନ୍ତୀ ଝଣ୍ଡା ଶୋଭାଯାତ୍ରାରେ ଚାଲି ଚାଲି ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ଘଟଗାଁ ମା’ ତାରିଣୀଙ୍କ ସୁନାବେଶ ଦର୍ଶନ କରିବା ପରେ ଲାବଣ୍ୟ ଛକ ହନୁମାନ ଜୟନ୍ତୀରେ ଯୋଗ ଦେଇ ଶୁଭ ମନାସିଛନ୍ତି । ସେପଟେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବଜରଙ୍ଗ ଦଳ ତରଫରୁ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଶୋଭାଯାତ୍ରା ବ୍ରହ୍ମପୁରା ବଳଦେବ ଜୀଉ ମନ୍ଦିରରୁ ବାହାରି ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଆସିଥିବା ବେଳେ ଅଞ୍ଚଳର ହଜାର ହଜାର ଜନସାଧାରଣ ଯୋଗ ଦେଇଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସାରା ରାଜ୍ୟରେ ୨୦୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ୧୦ କମ୍ପାନି ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ ଫୋର୍ସ ଓ ରାପିଡ୍ ଆକ୍ସନ ଫୋର୍ସ ଓ ଜିଲ୍ଲା ପୁଲିସ ମୁତୟନ ହୋଇଛନ୍ତି ।