କନକ ବ୍ୟୁରୋ: ବିହାରରେ ଦିନକୁ ଦିନ ଜୋର ଧରୁଛି ରାଜନୀତି । ନିର୍ବାଚନ ଯେତେ ଯେତେ ପାଖଉଛି, ବିହାରର ରାଜନୀତି ମଧ୍ୟ ସେତେ ସରଗରମ ହେବାରେ ଲାଗିଛି । ଆଉ ଏହାରି ଭିତରେ ବିହାରରେ ସତ୍ତାରେ ଥିବା ନୀତୀଶ କୁମାରଙ୍କ ଟେନସନ୍ ବଢାଇଛନ୍ତି ଚିରାଗ ପାସଓ୍ୱାନ୍ । 

Advertisment

ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ମୁଖ୍ୟ ଥିବା ଚିରାଗ ପାସଓ୍ୱାନ୍ ଏଥର ବିହାରର ୨୪୩ ସିଟରେ ଏକାକୀ ଲଢ଼ିବା ନେଇ ଘୋଷଣା କରିଛନ୍ତି । ଏନଡିଏଠାରୁ ଅଲଗା ହୋଇ ସେ ସବୁ ସିଟରେ ନିଜର ପ୍ରାର୍ଥୀ ଦେବେ ବୋଲି କହିସାରିଛନ୍ତି । ହେଲେ ତାଙ୍କର ଏହି ଘୋଷଣାକୁ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ ହୋଇଛି । କୁହାଯାଉଛି ବିହାରରେ ନୀତୀଶଙ୍କୁ ଚେକ୍ ଦେବାକୁ ବିଜେପି ଏମିତି ପ୍ଲାନ୍ କରିଛି । କାହିଁକି ନା, ଚିରାଗ ହିଁ ହେଉଛନ୍ତି ଏମିତି ଜଣେ ନେତା, ଯାହାଙ୍କୁ ସାମ୍ନାରେ ରଖି ନୀତୀଶଙ୍କ ବିରୋଧରେ ବଡ଼ ଗେମ୍ ଖେଳିପାରିବ ବିଜେପି । 

ବିହାରରେ ଏଥର ୪୦ରୁ ୬୦ ସିଟରେ ଲଢ଼ିବା ନେଇ ଦାବି କରୁଥିଲେ ଚିରାଗ ପାସଓ୍ୱାନ । କୁହାଯାଉଥିଲା, ଯଦି ତାଙ୍କୁ ୩୩ରୁ ୩୫ ସିଟ୍ ବି ମିଳିଯାଏ, ତେବେ ସେ ମାନିଯିବେ । ହେଲେ କେଉଁଠି ନା କେଉଁଠି ନୀତୀଶ କିନ୍ତୁ ତାଙ୍କୁ ଏତେ ସିଟ୍ ଦେବା ସପକ୍ଷରେ ନଥିଲେ ବୋଲି ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ଏବେ ମେଣ୍ଟରୁ ଅଲଗା ହୋଇ ସେ ସବୁ ସିଟରେ ନିଜର ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି । ଆଉ ଯଦି ଏହି ପ୍ଲାନରେ ସେ କିଛି ମାତ୍ରାରେ ବି ସଫଳ ହେଇଯାଆନ୍ତି, ଆଉ ୧୦ରୁ ୧୫ ବିଧାୟକ ନିଜ ଦଳରୁ ଜିତାଇପାରନ୍ତି, ତେବେ ଏହା ବିଜେପିକୁ ବଡ଼ ଫାଇଦା ଦେଇପାରେ ।

ଏହା ପୂର୍ବରୁ ମଧ୍ୟ ୨୦୨୦ରେ ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସଓ୍ୱାନ । ଏହି ସମୟରେ କିନ୍ତୁ, ସେ ବିଜେପି ବିରୋଧରେ କିଛି ବି କହିନଥିଲେ ବରଂ ଚିରାଗ ଏହି ସମୟରେ ଜେଡିୟୁକୁ ଅସୁବିଧାରେ ପକାଇଥିଲେ । ଆଉ ୨୦୨୦ ଭଳି ୨୦୨୫ରେ ଯଦି ପୁଣି ସେହି କଥା ରିପିଟ୍ ହୁଏ, ତେବେ ଏହା ନୀତୀଶଙ୍କ ପାଇଁ ଅଡୁଆ ହେବା ସହ, ବିଜେପିକୁ ଫାଇଦା ଦେଇପାରେ ।