କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟରେ ଓଡ଼ିଶା ପାଇଁ ବଡ଼ ନିଷ୍ପତ୍ତି । ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ ମଞ୍ଜୁରି । ଏଥିରେ ବିନିଯୋଗ ହେବ ୫ ହଜାର ୧୦୪ କୋଟି ଟଙ୍କା । କେନ୍ଦ୍ର କ୍ୟାବିନେଟରେ ଆଜି ମୋଟ ୪ଟି ରେଳ ପ୍ରକଳ୍ପକୁ ମଞ୍ଜୁରି ମିଳିଥିବା ବେଳେ ସେଥିରୁ ୨ଟି ପ୍ରକଳ୍ପ ଓଡ଼ିଶା ପାଇଁ ଉଦ୍ଦିଷ୍ଟ । ସମ୍ବଲପୁର-ଜରପଡ଼ା ପ୍ରକଳ୍ପ ପାଇଁ ୩ ହଜାର ୯୧୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ଝାରସୁଗୁଡା-ଶାସନ ପ୍ରକଳ୍ପ ପାଇଁ ୧ ହଜାର ୧୮୭ କୋଟି ଟଙ୍କା ବିନିଯୋଗ ହେବ ।

Advertisment

ଏହି ମଲ୍ଟିଟ୍ରାକ୍ ପ୍ରକଳ୍ପ ଦ୍ୱାରା ସମ୍ବଲପୁର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ରେଳ ପରିବହନ କ୍ଷେତ୍ରରେ ବ୍ୟାପକ ଗତିଶୀଳତା ଆସିବ । ଏହି ପ୍ରକଳ୍ପ ଗୁଡିକ ରେଳ ପରିଚାଳନାକୁ ସହଜ କରିବା ସହିତ ଭିଡ଼ ହ୍ରାସ କରିବ । ପ୍ରଧାନମନ୍ତ୍ରୀଙ୍କ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ମଲ୍ଟି ମୋଡାଲ୍ ସଂଯୋଗ ପାଇଁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯିବ । ତେବେ ଏହି ଦୁଇଟି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।