କନକ ବ୍ୟୁରୋ : ଆଜି ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲେ ବି ଆସନ୍ତା କାଲି ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଟାକ୍ସ ସୀମାରୁ ନେଇ ଉଦ୍ୟୋଗ ପର୍ଯ୍ୟନ୍ତ ବଜେଟର କ'ଣ ରହିବ ରୂପରେଖ ତାକୁ ନେଇ ସାରା ଦେଶବାସୀ ଅପେକ୍ଷା କରିଛନ୍ତି । ହେଲେ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଓଡିଶାକୁ ଚଳିତ ବଜେଟରେ ଅଧିକ କିଛି ମିଳିବ ବୋଲି ଆଶା କରାଯାଉଛି । 

Advertisment

ଯଦି ରାଜ୍ୟ କଥା ଆଲୋଚନା କରିବା ତେବେ ରାଜସ୍ଥାନର ଜୈସଲମେରରେ ଆୟୋଜିତ ପାକ୍ ବଜେଟ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଅନେକ ମୁଖ୍ୟ ପ୍ରସ୍ତାବ ରଖିଥିଲେ । 
ଦାବିଗୁଡିକ ଥିଲା .......

ପର୍ଯ୍ୟଟନର ବିକାଶ : ଓଡିଶାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଏହାକୁ ନେଇ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ କରିବାକୁ ୧୦ ହଜାର କୋଟିର ଅନୁଦାନ ଦେବାକୁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ । 

ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସ୍ୱତନ୍ତ୍ର ସହାୟତା : ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାର ୧.୫୦ ଲକ୍ଷ କୋଟିର ବର୍ଦ୍ଧିତ ଆବଣ୍ଟନ କରିଥିଲା । ହେଲେ ଚଳିତ ବଜେଟରେ ଏହି ରାଶି ବୃଦ୍ଧି କରିବାକୁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି, ଗତ ବଜେଟ ଠାରୁ ଅଧିକ ୬୦ ପ୍ରତିଶତ ବୃଦ୍ଧି କରାଯାଉ । 

ଜଳ ଜୀବନ ମିଶନ: ଓଡିଶାରେ ଧିରେ ଧିରେ ପାନୀୟ ଜଳର ସଂକଟ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି । ତେଣୁ ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ନିର୍ମାଣଧିନ ପାନୀୟଜଳ ଯୋଗାଣ ପ୍ରକଳ୍ପଗୁଡିକୁ ଶେଷ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହି ବଜେଟରେ କେନ୍ଦ୍ର ସରକାର ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । 

ସ୍ୱାସ୍ଥ୍ୟ ଏବଂ ଶିକ୍ଷା : ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଥିବାରୁ ଏବେର ସରକାର ଉପରେ ରାଜ୍ୟବାସୀଙ୍କ ଆକାଂକ୍ଷା ବଢିଥିବା ପାକ୍ ବଜେଟ ବୈଠକରେ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ । ତେଣୁ ଲୋକଙ୍କ ଆଶା ପୁରଣ କରିବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ଆବଶ୍ୟକତା ରହିଛି । ବିଶେଷ କରି ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ଅଧିକାରୀ କ୍ଷେତ୍ରରେ ଅଧିକ ନିବେଶର ଆବଶ୍ୟକତା ରହିଛି । ତେଣୁ ପୂର୍ବ ଅପେକ୍ଷା ଚଳିତ ବଜେଟରେ ଏହି ଦୁଇ କ୍ଷେତ୍ରରେ ଆବଣ୍ଟନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । 

ସମ୍ବଳ ଦୃଷ୍ଟିକୋଣ : ଜାତୀୟ ଏବଂ ରାଜ୍ୟ ସ୍ତରରେ ଜିଡିପି, ମୁଦ୍ରାସ୍ପୀତି ଏବଂ ପ୍ରତ୍ୟେକ୍ଷ ଏବଂ ପରୋଧ କରର ଉଷ୍ମତା ପାଇଁ ଆକଳନ କରାଯାଇଥିବା ଅଭିବୃଦ୍ଧିକୁ ବିଚାରକୁ ନେଇ ରାଜ୍ୟର ମୋଟ ରାଜସ୍ୱ ପ୍ରାପ୍ତି ଚଳିତ ବର୍ଷର ଆକଳନ ତୁଳନାରେ ୨୦୨୫-୨୬ ରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । 

ନୂତନ ଶୀଳ୍ପନଗରୀକୁ ମଞ୍ଜୁରୀ : ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ କି ଦକ୍ଷିଣ ଓ ପଶ୍ଚିମ ଓଡିଶାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ହେଲେ ଗୋପାଳପୁର ଓ ଝାରସୁଗୁଡାରେ ନୂତନ ଶିଳ୍ପନଗରୀକୁ ଅନୁମୋଦନ କରିବାକୁ ପଡିବ । 

ସରକାରଙ୍କ ରଣନୈତିକ ପ୍ରାଥମିକତା : ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସରକାର ବିକାଶର ୧୦ ଟି ମାପଦଣ୍ଡ ପ୍ରସ୍ତୁତ କରିଛନ୍ତି । ଯାହା ମଧ୍ୟରେ ରହିଛି ସାମାଜିକ ନ୍ୟାୟ, ଅନ୍ନଦାତା, ସ୍ୱାସ୍ଥ୍ୟସେବା, ଇଜ୍ ଅଫ୍ ଲିଭିଂ, ଶିକ୍ଷା ବ୍ୟବସ୍ଥା, ବିକଶିତ ଗାଁ ବିକଶିତ ସହର ଓ ବିକଶିତ ଓଡିଶା ଭଳି ୧୦ ଟି ମାନଦଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଉକ୍ତ ବୈଠକରେ ଉଲ୍ଲେଖ କରିଥିଲେ ।