ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତି ନେଇଛନ୍ତି ମୋହନ ସରକାର । ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ସ୍କିମ ବା ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଣିକି ଏନପିଏସ ଦ୍ୱାରା ପରିଚାଳିତ ସରକାରୀ କର୍ମଚାରୀ ୟୁପିଏସ୍‌ ବା ଏକୀକୃତ ପେନସନ ପାଇବେ । 

Advertisment

ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରୀ 
ଏନପିଏସରେ ଯୋଗ୍ୟ ଥିଲେ ଲାଗୁ ହେବ ଏକୀକୃତ ପେନସନ୍ 
ଏନପିଏସ୍‌ ଅଧୀନ କର୍ମଚାରୀ ୟୁପିଏସ୍‌ କିମ୍ୱା ଏନପିଏସ୍‌ ମଧ୍ୟରୁ ଗୋଟିଏକୁ ବାଛିବେ 
ସର୍ବନିମ୍ନ ୧୦ ବର୍ଷ ଚାକିରି କରିଥିଲେ ମାସିକ ୧୦ ହଜାର ଟଙ୍କା ପେନସନ୍‌  
୧୦ ବର୍ଷରୁ ୨୫ ବର୍ଷ ପର୍ୟ୍ୟନ୍ତ ସେବା ଅବଧି ପାଇଁ ଆନୁପାତିକ ହାରରେ ପେନସନ୍‌ ମିଳିବ 
ଅବସର ପୂର୍ବରୁ ୧୨ ମାସ ମିଳିଥିବା ମୂଳ ଦରମାର ୫୦% ପେନସନ୍‌ ଭାବେ ମିଳିବ
ମୃତ୍ୟୁ ପରେ କର୍ମଚାରୀଙ୍କ ପେନସନର ୬୦% ପାରିବାରିକ ପେନସନ୍‌ ମିଳିବ  
ଏପ୍ରିଲ ପହିଲାରୁ ଏକୀକୃତ ପେନସନ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। 

କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ 

ଅନ୍ତୋଦୟ ଯୋଜନାରେ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇବେ ରାଜ୍ୟ ସରକାର । ମୋଟ ୨ ଲକ୍ଷ ୨୫ ହଜାର ପକ୍କା ଘର ତିଆରି କରିବେ । ଏଥିପାଇଁ ୭ ହଜାର ୫୫୦ କୋଟିର ବ୍ୟୟବରାଦ କରାଯାଇଛି । କ୍ରୀଡ଼ାର ଭିତ୍ତିଭୂମି ସୁଦୃଢ କରିବାକୁ ୩୧୪ ବ୍ଲକରେ ନିର୍ମାଣ ହେବ ଷ୍ଟାଡିୟମ । ଖେଳର ଭିତ୍ତିଭୂମି ସଜାଡ଼ି ନୂଆ ଖେଳାଳି ସୃଷ୍ଟି ପାଇଁ ୪ ହଜରା ୧୨୪ କୋଟି ବ୍ୟୟବରାଦ । ହୀରାକୁଦ ଡ୍ୟାମ ମରାମତି ଓ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ୟ୍ୟକାରୀ ହେବ । ଏହାସହ ବଡ଼ ବଡ଼ ଡ୍ୟାମର ପୁନର୍ବିନ୍ୟାସ ପାଇଁ ୧ ହଜାର ୬୬ କୋଟି ବ୍ୟୟ ଅଟକଳ କରାଯାଇଛି । ସେହିପରି ୪ଟି ବଡ଼ ବଡ଼ ନଦୀରେ ସେତୁ ନିର୍ମାଣ କରିବା ପାଇଁ ୨୨୮କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ଅଟକଳ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କ୍ରୀଡା ଭିତ୍ତିଭୂମି, ପକ୍କା ଘର, ବଡ଼ ବଡ଼ ନଦୀରେ ପୋଲ ନିର୍ମାଣ ଭଳି ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।