କନକ ବ୍ୟୁରୋ: ଭୁବନେଶ୍ବରରୁ ଯାଜପୁର, କେନ୍ଦ୍ରାପଡ଼ାରୁ ଭଦ୍ରକ । ସବୁ ଅଞ୍ଚଳରୁ ଆସିଛି ସମାନ ଖବର । ହୋଟେଲ, ଫଳ ଦୋକାନ, ଫୁଡ୍ ଷ୍ଟଲ୍‌, ସବୁଠି ଚାଲିଛି ଧରପଗଡ଼ । ଫ୍ରିଜ୍, ହଣ୍ଡା ସବୁଠି ଧନ୍ଦାଳୁଛନ୍ତି ଫୁଡ୍ ସ୍କ୍ବାଡ୍‌ ଅଧିକାରୀ । ଏକାଧିକ ଅଧିକାରୀ ଅତର୍କିତ କରୁଛନ୍ତି ଚଢ଼ଉ । ଜିଲ୍ଲାକୁ ଜିଲ୍ଲା ଝାଡ଼ାବାନ୍ତି ବ୍ୟାପିବା ପରେ ଏବେ ତତ୍ପର ହୋଇଛି ପ୍ରଶାସନ । ଏହା ଯେପରି ଆଉ ବ୍ୟାପକ ନହେବ ସେଥିପାଇଁ ବିଭିନ୍ନ ହୋଟେଲ ଏବେ ଫୁଡ୍ ସ୍କ୍ବାର୍ଡ ଅଧିକାରୀଙ୍କ ସ୍କାନରରେ ।

Advertisment

ଭୁବନେଶ୍ବରର ବିଭିନ୍ନ ହୋଟେଲରେ ଅତି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହେଉଛି । ତେଣୁ ମେଡିକାଲ ପାଖରେ ଥିବା ଏହି ହୋଟେଲରେ ଖାଇଲେ ମେଡିକାଲରେ ଆଡମିଟ୍ ହେବା ନିଶ୍ଚିତ । ତେଣୁ ବାସି ଖାଦ୍ୟ ପାଇଁ ହୋଟେଲଗୁଡିକ ଉପରେ ମୋଟା ଅଙ୍କର ଜରିମାନା ସହ ତାଗିଦ କରିଛନ୍ତି ଅଧିକାରୀ । 

ସୂଚନାଯୋଗ୍ୟ ଯେ, ଝାଡ଼ାବାନ୍ତିରେ ଏବେ ଆକ୍ତାମାକ୍ତା ଯାଜପୁର । ଝାଡ଼ାବାନ୍ତି ଯେପରି ନବ୍ୟାପିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ, ରେସ୍ତୋରାଁ, ରାସ୍ତାକଡ଼ ଖାଦ୍ୟ ଷ୍ଟଲ୍‌ ଉପରେ ଚଢ଼ାଉ କରି ସିଲ୍‌ କରାଯାଇଛି । ଗାଁରେ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମିତି କି, ପାନୀୟ ଜଳ ପ୍ରସ୍ତୁତ କରୁଥିବା ଫ୍ୟାକ୍ଟ୍ରି ମଧ୍ୟ ପ୍ରଶାସନର ନଜରରୁ ବର୍ତ୍ତିନି । 

ଭଦ୍ରକ ଓ କେନ୍ଦ୍ରାପଡ଼ାରେ ମଧ୍ୟ ହୋଟେଲ ଓ ଜଳଖିଆ ଦୋକାନ ଉପରେ ଚଢ଼ଉକୁ ଜୋରଦାର କରଛି ପ୍ରଶାସନ । ଭଦ୍ରକର ସବୁ ବ୍ଲକରେ ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରି ମୋଟା ଅଙ୍କର ଜରିମାନା ଆଦାୟ କରୁଛି ପ୍ରଶାସନ । ଲୋକଙ୍କୁ ବାହାରେ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଭଦ୍ରକ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ । କେନ୍ଦ୍ରାପଡ଼ାର ବିଭିନ୍ନ ହୋଟେଲରେ ଚଢ଼ଉ କରି ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି । 

ତେବେ ପ୍ରଶ୍ନ ଉଠୁଛି, କେବଳ ହୋଟେଲ ଗୁଡ଼ିକ ଉପରେ ଚଢ଼ଉ କଲେ କ’ଣ ଝାଡ଼ାବାନ୍ତି ବ୍ୟାପିବାରେ ବ୍ରେକ୍ ଲାଗିବ କି? ବାସି ଖାଦ୍ୟ ବିକ୍ରି ହେଉଥିବାର ଖବର ପ୍ରଶାସନ ପାଖରେ ପୂର୍ବରୁ ନଥିଲା କି?