କନକ ବ୍ୟୁରୋ : ଓଡ଼ିଶାର ରାଜ୍ୟପାଳ ବଦଳିବା ପରେ ସରଗରମ ହେଲାଣି ରାଜ୍ୟ ରାଜନୀତି । କାରଣ ହଠାତ୍ ଯେଉଁପରି ଭାବରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଦଳି ହେଲା ତାହାକୁ ନେଇ ଚର୍ଚ୍ଚା ଜୋର । ନିର୍ବାଚନ ଠିକ୍ ପୂର୍ବବର୍ଷ ଓଡ଼ିଶାର ନୂଆ ରାଜ୍ୟପାଳ ହୋଇଥିଲେ ରଘୁବର ଦାସ । ଦାୟିତ୍ୱ ନେବା ପରେ ବେଶ ସକ୍ରିୟ ବି ଥିଲେ । ଏମିତିକି ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କେତେ ପହଞ୍ଚିଛି, କେନ୍ଦ୍ରର ଯୋଜନା କେତେ ମିଳିଛି ସେନେଇ ତନାଘନା କରିବା ସହିତ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଥିଲେ । ଏମିତିକି ସରପଂଚଙ୍କ ଅନୁପସ୍ଥିତିରେ ସ୍ୱାମୀ ସଭାରେ ଥିବାରୁ ବିରକ୍ତି ହୋଇଥିଲେ । କିନ୍ତୁ ପୁରୀରେ ପୁଅର ଦାଦାଗିରି ଏବଂ ଝାଡ଼ଖଣ୍ଡରେ ଗୋଷ୍ଠୀ କନ୍ଦଳ ପଦ ଯିବା ପଛରେ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି ।
୨୪ ଡିସେମ୍ୱର ସଂଧ୍ୟା ପରେ ପରେ ହଠାତ୍ ଖବର ଆସିଲା ବଦଳିଲେ ଓଡ଼ିଶାର ରାଜ୍ୟପାଳ । ରଘୁବରଙ୍କ ବଦଳରେ ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ଡକ୍ଟର ହରିବାବୁ କମ୍ଭମପତି । କିନ୍ତୁ ହଠାତ୍ କାହିଁକି ବଦଳି ହେଲା ସେନେଇ କାହା ପାଖରେ କିଛି ଉତ୍ତର ନଥିଲା । ଏମିତିକି ରାଜ୍ୟ ବିଜେପିର କିଛିଜଣଙ୍କୁ ଛାଡ଼ି ଦେଇ ଆଉ କାହାର ପାଖରେ ସୁରାଗ ବି ନଥିଲା । ଏପଟେ ରାଜ୍ୟପାଳ ବଦଳିବା ପରେ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ବିଜେଡିର ବରିଷ୍ଠ ନେତା ଭିପିନ୍ଦର ସିଂ କହିଛନ୍ତି, ସେ ବିଜେପି ପାଇଁ କାମ କରୁଥିଲେ । ଦଳ କେମିତି ନିର୍ବାଚିତ ହେବ ସେନେଇ କାମ କରୁଥିଲେ । ପଦରେ ଥାଇ ବି ସେ ସବୁ ଭୁଲିଯାଇଥିଲେ ।
ରାଜ୍ୟପାଳଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତିରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଛନ୍ତି, ଏଥିରେ କୌଣସି ରାଜନୀତି ନାହିଁ । ଆଗାମୀ ଦିନରେ ସେ ରାଜନୀତି କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଣ୍ଣୟ କରେ । ଦାୟିତ୍ବ ଆଗକୁ କଣ ମିଳିବ କି ନାହିଁ ତାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ହିଁ ନେବେ ।
ଏପଟେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ବି ପ୍ରତିକ୍ରୟା ରଖିଛନ୍ତି । କହିଛନ୍ତି, ରଘୁବରଙ୍କ ବଦଳାଇବା ପଛରେ ତିନୋଟି କାରଣ ହୋଇପାରେ । ପ୍ରଥମତଃ ତାଙ୍କୁ ଝାଡଖଣ୍ଡରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ମିଳିପାରେ , ଦ୍ଵିତୀୟରେ ତାଙ୍କୁ କେନ୍ଦ୍ରରେ କିଛି ଦାୟିତ୍ଵ ଦେଇ ପାରନ୍ତି ଆଉ ତୃତୀୟ ହେଲା ଆଜି ଭୁବନେଶ୍ୱର ସାରା ସୁଶାସନର ପୋଷ୍ଟର ଲାଗିଛି । ତେଣୁ ସରକାର ସୁଶାସନ କରିବା ପାଇଁ ତାଙ୍କୁ ହଟେଇଥାଇ ପାରନ୍ତି ।
ମୋଟ୍ ଉପରେ, ଓଡ଼ିଶାରେ ଏତେ କମ୍ ଦିନରେ ରାଜ୍ୟପାଳ ବଦଳିବାକୁ ନେଇ ସରଗରମ ହୋଇଛି ରାଜନୀତି । ସମୟ କହିବ ଆଗାମୀ ଦିନରେ ରଘୁବର ରାଜନୀତି କରୁଛନ୍ତି କି ନାହିଁ ।