କନକ ବ୍ୟୁରୋ: ପୂର୍ବ ନିର୍ଦ୍ଧାରିତ ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା । ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା । ବାଚସ୍ପତି ସୁରମା ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ କାର୍ଯ୍ୟ ମୁଲତବି ରଖିଛନ୍ତି । କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଛନ୍ତି । 

Advertisment

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଗତ ୧୬ ତାରିଖ ଦିନ ଆରମ୍ଭ ହୋଇଥିଲା । ଏହି ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ କିଛି ସରକାରୀ କାର୍ଯ୍ୟ ନଥିବାରୁ ଓ ନବରାତ୍ର ପୂଜା ପାଇଁ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଗୃହ କାର୍ଯ୍ୟକୁ ବନ୍ଦ ପ୍ରସ୍ତାବ ଆଣିଥିଲେ । ଫଳରେ ଦିନକ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଶେଷ କରାଯାଇଛି । 

ତେବେ ମୌସୁମୀ ଅଧିବେଶନରେ ସାତଟି କାର୍ଯ୍ୟ ଦିବସ ଥିବା ବେଳେ ଛଅଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି । ବିଧାନସଭାର ଦ୍ବିତୀୟ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିରୋଧୀ ବିଜେଡି ଓ କଂଗ୍ରେସ ବାରମ୍ବାର ହୋହାଲ୍ଲା କରିଥିଲେ । ଦ୍ବିତୀୟ ଦିନରେ ବିଜେଡି ବିଧାୟକମାନେ ରାଜ୍ୟରେ ଚାଷୀମାନଙ୍କୁ ଉପଯୁକ୍ତ ପରିମାଣରେ ସାର ଦିଆଯାଉ ନଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ । ସେହିପରି କଂଗ୍ରେସ ବିଧାୟକମାନେ ଏକାଧିକ ଥର କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ମୂର୍ତ୍ତି ତଳେ ବସିଥିଲେ । ଏହି ଅଧିବେଶନରେ କଂଗ୍ରେସ ବିଧାୟକମାନେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଦୁଇ ଥର ଆଣିଥିଲେ । 

ଗୃହ କାର୍ଯ୍ୟ ସମୟରେ ବିରୋଧୀ ଦଳର ବିଧାୟକମାନେ ଶାସକ ଦଳକୁ ଏକାଧିକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଶାସକ ଦଳ ଏହାର ଉତ୍ତର ଦେଇଥିଲେ। ଷଷ୍ଠ ଦିନରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ । ସେହିପରି ଗୃହରେ ଓଡ଼ିଶା ଦ୍ରବ୍ୟ ଓ ସେବା କର(ସଂଶୋଧନ)ବିଲ ୨୦୨୫ ପାରିତ ହୋଇଛି ।