କନକ ବ୍ୟୁରୋ: ଶୀତରୁତୁକୁ ବିଶେଷକରି ଫୁଲ ମାନଙ୍କର ରୁତୁ ବୋଲି କୁହାଯାଏ । କାରଣ ଏହି ରୁତୁରେ ପ୍ରଚୁର ପରିମାଣର ଫୁଲ ମିଳିଥାଏ । ବିଶେଷକରି ଗେଣ୍ଡୁ, ଗୋଲାପ, ସେବତି, ସୂର୍ଯ୍ୟମୁଖୀ ଫୁଲର ଅଭାବ ନଥାଏ । ବର୍ତ୍ତମାନ ସମୟରେ ଚାକିରି ସମସ୍ୟା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଫୁଲଚାଷ କରି ରୋଜଗାର କରିବା ପାଇଁ ଯୁବପିଢ଼ି ବେଶ ପସନ୍ଦ କରୁଛନ୍ତି । ଉନ୍ନତ ପ୍ରଣାଳିରେ ଚାଷ କରି ଲାଭବାନ ହେଉଛନ୍ତି । ଗଞ୍ଜାମ ବ୍ଲକ ସାନରାମଚନ୍ଦ୍ର ପଞ୍ଚାୟତ ମିଞ୍ଚିଣିପାଟଣାର ଯୁବଚାଷୀ କେ. ଗଣେଶ ରେଡ୍ଡୀ ୫ ବର୍ଷ ହେଲା ଗେଣ୍ଡୁ ଚାଷ କରୁଛନ୍ତି । ଅନ୍ୟ ଚାଷ ଅପେକ୍ଷା ଏହି ଚାଷ ଭଲ ଲାଭ ଦେଉଥିବା ସେ କହିଛନ୍ତି ।
ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜମିରେ ଫୁଲ ଚାଷ କରିଛନ୍ତି ଗଣେଶ । ଯାହା ରାସ୍ତାରେ ଯାଉଥିବା ବାଟୋଇଙ୍କୁ ଆକୃଷ୍ଟ କରୁଛି । କୋଲକାତାରୁ ଚାରା ଆଣି ଗଣେଶ ଗେଣ୍ଡୁଚାଷ ଆରମ୍ଭ କରିଥିଲେ । ଏହି ଚାଷରେ ପୋକ ଲାଗିବାର ଭୟ ନଥିବା ବେଳେ କମ୍ ପାଣିରେ ଗେଣ୍ଡୁଫୁଲ ଚାଷ ହୋଇପାରୁଛି। ବଜାର ଚାହିଦାକୁ ଦେଖି ଆଗାମୀ ଦିନରେ ଅଧିକ ଜମିରେ ଏହି ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗଣେଶ। ଗଣେଶଙ୍କ ଜମିରୁ ବାହାରୁଥିବା ଗେଣ୍ଡୁଫୁଲ ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁକୁ ବିକ୍ରି ପାଇଁ ଯାଇଥାଏ ।
ଅଧିକ ପଢନ୍ତୁ: ଲକ୍ଷପତି କରିଛି ଗେଣ୍ଡୁଫୁଲ । ଗାଁ ମହିଳାଙ୍କୁ କରିଛି ଆତ୍ମନିର୍ଭର ।
ବର୍ତ୍ତମାନ ଗେଣ୍ଡୁ ଫୁଲ କିଲୋ ପିଛା ବଜାର ଦର ୧୨୦ ରୁ ୧୪୦ ଟଙ୍କା ରହିଥିବା ବେଳେ ଗଣେଶ ଜମି ପାଖରେ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। ବିଭିନ୍ନ ପର୍ବ ପର୍ବାଣୀ ,ବାହାଘର ଓ ମନ୍ଦିର ପୂଜା ପାଇଁ ବର୍ଷକ ବାର ମାସ ଗେଣ୍ଡୁ ଫୁଲର ଚାହିଦା ରହିଛି । ମାର୍ଗଶିର ମାସରେ ଏହାର ଚାହିଦା ଟିକେ ଅଧିକା ରହିଥାଏ । ଗଣେଶଙ୍କ ପୁରା ପରିବାର ଏହି ଚାଷରେ ତାଙ୍କୁ ସହଯୋଗ କରନ୍ତି । ଫୁଲଚାଷରେ ପରିଶ୍ରମ କଲେ ଜଣାପଡ଼େ ନାହିଁ । କାରଣ ଫୁଲକ୍ଷେତର ପରିବେଶ ମନକୁ ଆନନ୍ଦ ଦେଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/04/gendu-phula-2026-01-04-21-24-09.png)