କନକ ବ୍ୟୁରୋ : ଦେଶରେ ୨୦୨୪ ସାଧାରଣ ନିର୍ବାଚନ ପରେ ଏବେ ପୁଣି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୀତି ସରଗରମ ହେବାରେ ଲାଗିଛି । ଉପରାଷ୍ଟ୍ରପତି ପଦରେ ଥିବା ଜଗଦୀପ ଧନଖଡ଼ ହଠାତ୍ ଇସ୍ତଫା ଦେବା ପରେ ପୁଣି ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି । ସେପଟେ ଉଭୟ ଏନଡିଏ ଓ ଇଣ୍ଡିଆ ତରଫରୁ ପ୍ରାର୍ଥୀ ଘୋଷଣା ହୋଇଛି । ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସି.ପି ରାଧାକ୍ରିଷ୍ଣଙ୍କୁ ଏନଡିଏ ମେଣ୍ଟ ପ୍ରାର୍ଥୀ କରିଥିବା ବେଳେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ହେଲେ ଗତ ଉପରାଷ୍ଟ୍ରପତି ନିର୍ବାଚନ ବେଳର ସ୍ଥିତି ବଦଳିଯାଇଛି । କାରଣ ୨୦୨୪ ସାଧାରଣ ନିର୍ବାଚନରେ ଲୋକସଭାରେ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏଥର ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି । ତେଣୁ ବୁଝିବାକୁ ପଡିବ ଯେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କ ସଂଖ୍ୟା କେତେ ଓ କାହା ପାଖରେ କେତେ ଭୋଟର ରହିଛନ୍ତି ? 

Advertisment

ଉପରାଷ୍ଟ୍ରପତି ପଦ ପାଇଁ ସେପ୍ଟେମ୍ବର ୯ ତାରିଖରେ ଭୋଟଗ୍ରହଣ ହେବ । ଏବଂ ସେହିଦିନ ହିଁ ଗଣତି ହୋଇ ବିଜୟୀଙ୍କ ନାମ ଘୋଷଣା କରାଯିବ । ଭାରତରେ ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦେଇଥାନ୍ତି । ଏଥିରେ ଉଭୟ ଗୃହର ମନୋନିତ ସଦସ୍ୟମାନେ ମଧ୍ୟ ଭୋଟ ଦେଇଥାନ୍ତି । 

ବର୍ତ୍ତମାନ ସ୍ଥିତିରେ ଏନଡିଏ ପାଖରେ ସଂଖ୍ୟାବଳ ଅଧିକ ରହିଛି । କାରଣ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏନଡିଏ ସମର୍ଥିତ ସାଂସଦଙ୍କ ସଂଖ୍ୟା ଅଧିକ । ରାଜ୍ୟସଭା ଓ ଲୋକସଭାର ମୋଟ ସାଂସଦ ହେଉଛନ୍ତି ୭୮୬ । ତେଣୁ ମୋଟ ୭୮୬ ଜଣ ଭୋଟର ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବା କଥା । ହେଲେ ଏବେ ୬ ଟି ସାଂସଦ ପଦ ଖାଲି ପଡିଛି । ଯାହା ମଧ୍ୟରେ ପଶ୍ଚିମବଙ୍ଗ ବସିରହାଟ ଲୋକସଭା ଆସନ ଖାଲି ପଡିଥିବା ବେଳେ ୫ ଟି ରାଜ୍ୟସଭା ସାଂସଦ ପଦ ଖାଲି ପଡିଛି । 

ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ହେଲେ ୩୪୯ ଭୋଟର ଆବଶ୍ୟକତା ରହିଛି । ଏହି କ୍ରମରେ ଏବେ ଏନଡିଏ ପାଖରେ ଅଧିକ ଭୋଟ ରହିଛି । ଲୋକସଭାର ମୋଟ ସଦସ୍ୟ ୫୪୨ ମଧ୍ୟରୁ ଏନଡିଏ ପାଖରେ ୨୯୩ ଓ ରାଜ୍ୟସଭାର ଏନଡିଏ ପାଖରେ ୧୨୯ ଜଣ ସାଂସଦ ଅଛନ୍ତି । ଏଥିରେ ମନୋନିତ ସଦସ୍ୟଙ୍କ ସଂଖ୍ୟା ମଧ୍ୟ ସାମିଲ ରହିଛି । ଏହିକ୍ରମରେ ଏନଡିଏ ପାଖରେ ୪୨୨ ଭୋଟ ରହିଛି । ଯାହାକି ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସହଜରେ ବିଜୟୀ କରାଇପାରିବ । ସେପଟେ  ବିରୋଧୀ ଇଣ୍ଡିଆ ମେଣ୍ଟ ପାଖରେ ମୋଟ ମୋଟ ୩୫୫ ଭୋଟ ରହିଛି । ଯାହା ମଧ୍ୟରେ ଲୋକସଭାର ୨୪୯ ଓ ରାଜ୍ୟସଭାର ୧୦୬ ଜଣ ସାଂସଦ ରହିଛନ୍ତି ।

ଏହାକୁ ନଜର କଲେ ସଂଖ୍ୟା ଗଣିତରେ ଏନଡିଏ ଆଗରେ ରହିଛି । ହେଲେ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି, ସେ ଏନଡିଏ ମେଣ୍ଟ ଛାଡି ପାରନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ଯଦି ଟିଡିପିର ରାଜ୍ୟସଭା ଓ ଲୋକସଭା ସାଂସଦମାନେ କ୍ରସ ଭୋଟିଂ କରନ୍ତି ତେବେ ବିରୋଧୀ ମେଣ୍ଟ ଶାସକ ମେଣ୍ଟ ଉପରେ ଭାରୀ ପଡିବାର ସମ୍ଭାବନା ରହିଛି ।