କନକ ବ୍ୟୁରୋ : ଗୋଟିଏପଟେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବା ନେଇ କଥାବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ୍ ରୁଷ ଉପରେ କରିଛି ବଡ ଆକ୍ରମଣ । ଏମିତି କି ୟୁକ୍ରେନ୍‌- ରୁଷ୍‌ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି ।  ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ କରିଛି । ଏହି ଘାଟିଟି ରୁଷ୍‌-ୟୁକ୍ରେନ୍‌ ସୀମାଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ। ଆକ୍ରମଣ ଯୋଗୁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି । ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି । 

Advertisment
  • ରୁଷ-ୟୁକ୍ରେନ୍‌ ଯୁଦ୍ଧ ବନ୍ଦ ପାଇଁ କିଛି ଦିନ ହେବ ଚାଲିଛି ଘନଘନ ଆଲୋଚନା 
  • ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରଖିଥିଲେ
  • ଆଲୋଚନା ଭିତରେ ୟୁକ୍ରେନ ରୁଷ ଉପରେ କରିଛି ବଡ ଆକ୍ରମଣ
  • ଦୀର୍ଘଦିନର ବ୍ୟବଧାନ ପରେ ୟୁକ୍ରେନ୍‌ ରୁଷ ଉପରେ ବଡ ଆକ୍ରମଣ କରିଛି
  • ୟୁକ୍ରେନର ଟାର୍ଗେଟରେ ଥିଲା ରୁଷର ଷ୍ଟ୍ରାଟେଜିକ୍ ବିମାନ ଘାଟି
  • ଆକ୍ରମଣରେ ଏହି ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବୋଲି ୟୁକ୍ରେନର ଦାବି
  • ଆକ୍ରମଣ ଏତେ ଭୟଙ୍କର ଥିଲା ଯେ,୭୦୦କିମି ଦୂରରେ ଥିବା ଏୟାରବେସରେ ନିଆଁ ଲାଗିଥିଲା
  • ରୁଷ କହିଛି ୧୩୨ ୟୁକ୍ରେନ୍‌ ଡ୍ରୋନକୁ ନଷ୍ଟ କରିଛି
  • ରୁଷର ସିଜରାନ୍ ସହରରେ ଥିବା ଏକ ତୈଳ ବିଶୋଧନାଗାର ଉପରେ ମଧ୍ୟ ୟୁକ୍ରେନ୍‌ ଆକ୍ରମଣ କରିଛି
  • ରୁଷ୍‌ର ବାୟୁ ପ୍ରତିରକ୍ଷା ‌ବ୍ୟବସ୍ଥା ବ୍ରିୟାନସ୍କ. ଟାଟାରସ୍ଥାନ, ଟୁଲା ଅଞ୍ଚଳ ଏବଂ କୃଷ୍ଣ ସାଗର ଅଞ୍ଚଳରେ ୯ଟି ୟୁକ୍ରେନୀୟ ଡ୍ରୋନକୁ ନଷ୍ଟ କରିଛି
  • ସାରାଟୋଭର ଗଭର୍ଣ୍ଣର କହିଛନ୍ତି, ଏଞ୍ଜେଲସ ସହରରେ ଡ୍ରୋନ୍‌ ମାଡ଼ ଫଳରେ ଏୟାରଫିଲ୍‌ଡରେ ନିଆଁ ଲାଗିଯାଇଥିଲା, ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଋଷ କହିଛି

ଅନ୍ୟପଟେ ବୁଧବାର ରାତିସାରା ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା କରିଛି । ଅନେକ ଘରକୁ ଟାର୍ଗେଟ୍‌ କରି ଇସ୍ରାଏଲ ଆକ୍ରମଣ କରିଥିବାରୁ ଏଥିରେ ମହିଳା, ଶିଶୁଙ୍କ ସମେତ ୯୫ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନ  ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ।  ଇସ୍ରାଏଲ ବିମାନ ଆକ୍ରମଣରେ ମଙ୍ଗଳବାର କେବଳ ୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିଲା । ଜାନୁଆରିରେ ଯୁଦ୍ଧବିରତି ହେବାପରେ ଇସ୍ରାଏଲ ପ୍ରଥମ ଥର ପାଇଁ ଗାଜାରେ ସ୍ଥଳ ଅପରେସନ୍‌ ଆରମ୍ଭ କରିଛି । ଗାଜାକୁ ଖାଦ୍ୟ, ଇନ୍ଧନ ସମେତ ଅନ୍ୟାନ୍ୟ ମାନବୀୟ ସହାୟତା ବନ୍ଦ କରିଦେଇଥିବା ଇସ୍ରାଏଲ ମଧ୍ୟ ହମାସ୍‌ ବିରୋଧରେ ଅପରେସନ୍‌ ଜୋରଦାର କରିବ ବୋଲି ପ୍ରତିଜ୍ଞା କରିଛି । ହମାସ ୫୯ ପଣବନ୍ଦୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ସ୍ଥଳ ଅପରେସନ୍‌ ଜୋରଦାର କରାଯିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ହମାସ୍‌ ଦାବି କରିଛି ଯେ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କୌଣସି ଇସ୍ରାଏଲ ପଣବନ୍ଦୀଙ୍କୁ ଛଡାଯିବନି ।