କନକ ବ୍ୟୁରୋ: ଯାଜପୁରରେ ବେକାବୁ ଝାଡ଼ା ବାନ୍ତି । ଅଣାୟତ୍ତ ହେବାରେ ଲାଗିଛି ସ୍ଥିତି । ଆଜି ଆସିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାରେ ପହଞ୍ଚିବା ପରେ ଯାଜପୁର ଯିବ ଟିମ୍ । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିବାକୁ ଆସୁଛି । ICMR, NCDC, ଫୁଡ୍ ସେପ୍ଟି , WHO ଭଳି ସଦସ୍ୟ ଟିମ୍ରେ ସାମିଲ ରହିବେ ।
ଯାଜପୁରରେ ୫ ଦିନ ହେଲା ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କଲେରା ରୋଗୀ ଚିହ୍ନଟ ହେବା ପରେ ଭୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁନାହାନ୍ତି ବର୍ହିବିଭାଗ ରୋଗୀ । ଏବେ ମୁଖ୍ୟ ଚିକିତ୍ସାଳୟରେ କେବଳ ଡାଇରିଆ ରୋଗୀ ଅଧିକ ମାତ୍ରାରେ ଚିକିତ୍ସିତ ହେଉଛନ୍ତି । ଭୟରେ ଅନ୍ୟ ରୋଗୀ ମାନେ ଆସୁନାହାନ୍ତି । ଟିକେଟ କେନ୍ଦ୍ର ମଧ୍ୟ ଖାଁ ଖାଁ ଦେଖିବାକୁ ମିଳିଛି । ଗତକାଲି ୪୧ ଝାଡ଼ା ନମୁନା ପରୀକ୍ଷାରେ ୮ଟିରେ କଲେରା ଚିହ୍ନଟ ହୋଇଥିଲା ।
ଯାଜପୁର ଜିଲ୍ଲାରୁ ଆହୁରି ୨ଶହ ନମୁନା ଯାଇଛି । ବ୍ୟାସନଗର, ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀ ମାନେ ଚିକିତ୍ସାଧୀନ ଅଛନ୍ତି । ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଥିଲେ । ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଘରକୁ ଘର ସର୍ଭେ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ବେଡ୍ ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ମେଡିସିନ୍ ଓ ସାଲାଇନ୍ ମହଜୁଦ୍ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ ।