କନକ ବ୍ୟୁରୋ : ସହରର ଆୟତନ ବୃଦ୍ଧି ସହ ବଢ଼ିଛି ବ୍ୟବସାୟିକ କାରବାର । ଧୀରେଧୀରେ ଟ୍ରାଫିକ ସମସ୍ୟା ବି ବଢ଼ୁଛି । ଯାହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ରାୟଗଡ଼ା ଜିଲ୍ଲା ଗୁଣପୁରରେ ରାସ୍ତା ସମ୍ପ୍ରସାରଣ । ହେଲେ ଠିକା ସଂସ୍ଥାର ବେପାରୁଆ ମନୋଭାବ ଯୋଗୁଁ ଅବଧି ସରିଲେ ବି ସରିପାରୁନି ରାସ୍ତା କାମ ।
ସହରରେ ବଢ଼ୁଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ଗୁଣପୁରରେ ଆରମ୍ଭ ହୋଇଥିଲା ବାଇପାସ ରାସ୍ତା ସମ୍ପ୍ରସାରଣ । ୨୦୨୩ରୁ ଆରମ୍ଭ ହୋଇଥିବା ଏହି କାମ ଆଜି ଯାଏଁ ସରିପାରୁନାହିଁ । ଗୁଣପୁରର ବାଇପାସ୍ ଛକ ଠାରୁ ବିକ୍ରମପୁର ଛକ ଯାଏଁ ରାସ୍ତାକୁ ୪ ଥାକିଆ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ଏକ ଠିକା ସଂସ୍ଥା ସହ ୧୧ କୋଟି ୮୧ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ୧୧ ମାସ ସୁଦ୍ଧା କାମ ସାରିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ହେଲେ ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ମନ୍ଥର ଗତିରେ କାମ ଚାଲିଥିବା ଅଭିଯୋଗ ଆସିଛି ।
ଏହି ରାସ୍ତା ଉପରେ ଜିଲ୍ଲା ସଦର ମହକୁମା ଓ ଉପଖଣ୍ଡର ୫ଟି ବ୍ଲକ ସହ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ହଜାର ହଜାର ଲୋକ ନିର୍ଭର କରନ୍ତି । ହେଲେ କାମ ଅସମ୍ପୂର୍ଣ୍ଣ ହେତୁ ଦୁର୍ଘଟଣା ଘଟିବା ସହ ଧୂଳିକଣାରେ ଯିବା ଆସିବା କରିବା କଷ୍ଟକର ହୋଇପଡ଼ୁଥିବା ଅଭିଯୋଗ ଆସୁଛି । ଅନ୍ୟପଟେ ଆସନ୍ତା ୩ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ । ପ୍ରତିଶ୍ରୁତି ପରେ କେବେ ଠିକା ସଂସ୍ଥା ପକ୍ଷରୁ କାମ ସରିବ ତାକୁ ଅପେକ୍ଷା ।