କନକ ବ୍ୟୁରୋ : ସୋମନାଥ ବ୍ରତ, କୁମାର ପୂର୍ଣ୍ଣିମା, କାର୍ତ୍ତିକ ବ୍ରତ, ଏହି ସବୁ ପର୍ବକୁ ନେଇ ଗାଁ, ସହର ସବୁଆଡେ ମତଭେଦ । କେଉଁ ଦିନ ପାଳିବେ ତାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ବ । ବଜାରରେ ମିଳୁଥିବା ପଂଜିକାରେ ତାଳମେଳ ରହୁନଥିବାରୁଏଭଳି ପରିସ୍ଥିତି ଦେଖାଦେଇଛି । ଭିନ୍ନ ଭିନ୍ନ ତଥ୍ୟ ଓ ଗଣନା ଲୋକଙ୍କୁ ବିଭ୍ରାନ୍ତି କରୁଛି । ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ଅନୁସାରେ ପାଞ୍ଜିର ଗଣନା କରାଯାଇଥାଏ । କିନ୍ତୁ ବ୍ୟବସାୟ ପାଇଁ ଏବେ ବଜାରରେ ଅନେକ ପାଞ୍ଜି ବିକ୍ରି ହେଲାଣି । ତେଣୁ ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।
ପଂଜିକାଗୁଡିକର ପ୍ରକାଶନ ସମୟରେ ଅନେକ ସୋପାନ ଦେଇ ଯିବାକୁ ପଡିଥାଏ । ପ୍ରକାଶନ ସମୟରେ ଶ୍ରୀମନ୍ଦିର ପ୍ରଶାସନ, ମୁକ୍ତିମଣ୍ଡପ ପଣ୍ଡିତ ସଭା, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ସ୍ବୀକୃତିପତ୍ର ଦିଆଯାଇଥାଏ । ଏଗୁଡିକ ଥାଇ ବି ପଂଜିକାଗୁଡିକରେ ବିଭ୍ରାନ୍ତିକର ତଥ୍ୟ ସାମ୍ନାକୁ ଆସୁଛି । ପୂର୍ବରୁ ଗଜପତି, ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତଭାବେ ପାଂଜି ସମନ୍ବୟ ବୈଠକ କରୁଥିଲେ । କିନ୍ତୁ ଏବେ ତାହା ହେଉନାହିଁ । ପୂର୍ବରୁ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୋଟିଏ ତଥ୍ୟକୁ ଛପାଯିବ ବୋଲି ସହମତି ହୋଇଥିଲା । କିନ୍ତୁ ଏହା ଆଲୋଚନାରେ ରହିଗଲା ।
ପ୍ରକୃତରେ କେଉଁ ପାଞ୍ଜି ଠିକ ସେନେଇ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପକ୍ଷରୁ ବି କୌଣସି ସଠିକ୍ ସୂଚନା ପ୍ରଦାନ କରାଯାଉ ନାହିଁ। ତେଣୁ ମୁକ୍ତିମଣ୍ଡପ ନିଜସ୍ବ ପାଂଜି ପ୍ରକାଶନ ପାଇଁ ଦାବି ଉଠୁଛି ।