କନକ ବ୍ୟୁରୋ: ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶ କ୍ରିକେଟ୍ ଦଳର ଅଂଶଗ୍ରହଣ ନେଇ ଏବେ ବି ଅଚଳାବସ୍ଥା ଜାରି ରହିଛି । ଏହି ପ୍ରତିଯୋଗିତା ପାଇଁ ଭାରତ ଗସ୍ତ ନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଡ଼ିବସିଥିବାବେଳେ ଏହା ସମ୍ଭବ ନୁହେଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସ୍ପଷ୍ଟ କରିଦେଇଛି। ଏସବୁ ମଧ୍ୟରେ ଆଇସିସି ପକ୍ଷରୁ ଏବେ ବଲକୁ ବିସିବି କୋର୍ଟରେ ପକାଇ ଦିଆଯାଇଛି । ଆସନ୍ତା ୨୧ ତାରିଖ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ ବିସିବିକୁ କୁହାଯାଇଛି ।
ESPN CricInfoର ଏକ ରିପୋର୍ଟ ଅନୁସାରେ ବିଶ୍ବକପରେ ଅଂଶଗ୍ରହଣ ନିଷ୍ପତ୍ତି ନେବା ଲାଗି ଜାନୁଆରି ୨୧ ଶେଷ ତାରିଖ ବୋଲି ବିସିବିକୁ ଜଣାଇଛି ଆଇସିସି । ଏହା ପରେ ଏ ନେଇ ଆଉ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ।
ଏହା ବି ପଢ଼ନ୍ତୁ: ବେକାର ଗଲା କୋହଲିଙ୍କ ଲଢ଼ୁଆ ଶତକ, ଭାରତ ମାଟିରେ ନ୍ୟୁଜିଲାଣ୍ଡର ଐତିହାସିକ ଶୃଙ୍ଖଳା ବିଜୟ
ଏହା ପୂର୍ବରୁ ଗତ ଶନିବାର ଢାକାଠାରେ ଆସିସି ଅଧିକାରୀ ଓ ବିସିବି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଭାରତରେ ନ ଖେଳିବାକୁ ବାଂଲାଦେଶ ନିଜର ନିଷ୍ପତ୍ତି ଜଣାଇଥିଲା । କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ଆଇସିସି ସ୍ପଷ୍ଟ କରିଦେଇଥିଲା । ଏପରିକି ଗ୍ରୁପ-ବିରେ ଥିବା ଆୟର୍ଲାଣ୍ଡ ସହିତ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ବାଂଲାଦେଶ କରିଥିବା ଅନୁରୋଧକୁ ବି ଆଇସିସି ଖାରଜ କରିଦେଇଥିଲା । ଏଥିପାଇଁ ଆୟର୍ଲାଣ୍ଡ ମଧ୍ୟ ରାଜି ହୋଇନଥିଲା । ତେବେ ବିସିବିକୁ ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି କୌଣସି ବିପଦ ନାହିଁ ।
ସୂତ୍ର ଅନୁସାରେ ଯଦି ଭାରତ ନ ଆସିବାକୁ ବିସିବି ନିଷ୍ପତ୍ତି ନିଏ ତେବେ ଆଇସିସି ବାଂଲାଦେଶକୁ ବିଶ୍ବକପରୁ ବାଦ ଦେଇ ଆଇସିସି ମାନ୍ୟତା ଅନୁସାରେ ପରବର୍ତ୍ତି ଦଳକୁ ଖେଳିବାକୁ ଅନୁମତି ଦେବ । ଏହି ମାନ୍ୟତା ଅନୁସାରେ ସ୍କଟଲାଣ୍ଡକୁ ମୌକା ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/19/bcb-2026-01-19-09-30-49.jpg)