କନକ ବ୍ୟୁରୋ: ଜୁଲାଇ ସରିଲା, ହେଲେ ଘୋଷଣା ହୋଇପାରଲାନି ବିଜେପି ଟିମ୍ । ଆଉ ସଙ୍ଗଠନ ଘୋଷଣା ହୋଇପାରୁନଥିବାରୁ ବୋର୍ଡ ଓ ନିଗମ ନାଁ ଘୋଷଣା ବି ଘୁଞ୍ଚି ଘୁଞ୍ଚି ଯାଉଛି । ସେହିଭଳି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ବି ଥଣ୍ଡା ପଡ଼ିଯାଇଛି ।
- ବିଜେପିରେ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳ ଦ୍ୱନ୍ଦ୍ବ
- ମୋହନ, ମନମୋହନଙ୍କ ସରୁନି ଅଙ୍କକଷା
ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କହିଥିଲେ, ପ୍ରଥମେ ସଙ୍ଗଠନ ହେବ, ତା’ ପରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ଘୋଷଣା କରାଯିବ । ଏବେ ୫ ଦିନ ବିତିଗଲା, କିନ୍ତୁ ସଙ୍ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇପାରିଲା ନାହିଁ । ପ୍ରକୃତରେ ଟିମ୍ ଘୋଷଣାକୁ ନେଇ ମନମୋହନ କେଉଁ ଦ୍ବନ୍ଦ୍ବରେ ରହିଛନ୍ତି ତାହା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ସଙ୍ଗଠନ ଦ୍ବନ୍ଦ୍ବ ନା’ ଚାପରେ ଅଛନ୍ତି ମନମୋହନ? ଜମ୍ବୋ ଟିମ୍ କରିବାକୁ ଚାହିଛନ୍ତି କି ରାଜ୍ୟ ସଭାପତି? ଅସନ୍ତୋଷ ଚିନ୍ତା ଘାରିଛି କି?
ସଙ୍ଗଠନ ଚିନ୍ତା ମନମୋହନ ସାମଲକୁ ଘାରିଥିବା ବେଳେ ମୋହନଙ୍କୁ ଘାରିଛି ମନ୍ତ୍ରିମଣ୍ଡଳ ଚିନ୍ତା । ନୂଆ ସଙ୍ଗଠନ ପରେ ବୋର୍ଡ, ନିଗମ ଓ ପରେ ମନ୍ତ୍ରିମଣ୍ଡଳ ଗଠନ ହେବା କଥା । କିନ୍ତୁ ଏବେ ବି ସଙ୍ଗଠନ କାମ ଆଗକୁ ବଢ଼ୁନଥିବାରୁ ବୋର୍ଡ ଓ ନିଗମ ଘୋଷଣା ହୋଇପାରୁନି । ଆଉ ଆଗେଇ ପାରୁନି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପ୍ରକ୍ରିୟା। ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି। ତେଣୁ ସଙ୍ଗଠନ, ବୋର୍ଡ, ନିଗମ ଓ ମନ୍ତ୍ରିମଣ୍ଡଳ ପାଇଁ ଆଶାୟୀ ମାଳ ମାଳ ରହିଛନ୍ତି । ଯାହାକୁ ନେଇ ଅକଳରେ ପଡ଼ିଛି ବିଜେପି ।