କନକ ବ୍ୟୁରୋ, ତାଉ ଦେଖାଉଛି ତାତି, କଲବଲ କରୁଛି ଗୁଳୁଗୁଳି । ନା ପଦାକୁ ବାହାରି ହେଉଛି ନା ଘର ଭିତରେ ରହି ହେଉଛି । ଦେହରୁ ଗମଗମ ହୋଇ ବୋହିଯାଉଛି ଝାଳ । କାଉଲୁବାଉଲୁ ହୋଇଯାଉଛନ୍ତି ଲୋକ । ପ୍ରଚଣ୍ଡ ଗ୍ରୀଷ୍ମର ପ୍ରହାରରେ ଅସ୍ତବ୍ୟସ୍ତ ଜନଜୀବନ । ଏତିକିରେ ସରିନି ଦୁର୍ଦ୍ଦଶା, ଆଗକୁ ଆହୁରି ୪ ଦିନ ସାରା ରାଜ୍ୟରେ ଦେଖାଦେବ ଏଭଳି ସ୍ଥିତି । ଏବେସୁଦ୍ଧା ଗରମ ଓ ଗୁଳୁଗୁଳିରେ ୨୮୨ ଜଣ ଅସୁସ୍ଥ ହେଲେଣି । ପଶ୍ଚିମ ଓଡ଼ିଶାରେ ପାରଦ ଯେମିତି ଉପରମୁହାଁ, ଅସୁସ୍ଥଙ୍କ ସଂଖ୍ୟା ମଧ୍ୟ ସେମିତି ଅଧିକ । ସମ୍ବଲପୁରରେ ଅସୁସ୍ଥଙ୍କ ସଂଖ୍ୟା ୮୩ରେ ପହଞ୍ଚିଲାଣି । ଅନ୍ୟପଟେ ବଲାଙ୍ଗୀରରେ ଅଂଶୁଘାତ ଜଣଙ୍କର ଜୀବନ ନେଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଦିନ ୧୦ଟା ପରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଖରା ଯେତିକି ହେଉଛି ତାଠାରୁ ଅଧିକ କଷ୍ଟ ଦେଉଛି ଗୁଳୁଗୁଳି । ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଚରମ ସୀମାରେ ପହଞ୍ଚିଛି । ଆଗାମୀ ୩ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅସହ୍ୟ ଗୁଳୁଗୁଳି ଭିତରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଗରମ, ତାତି, ଗୁଳୁଗୁଳି ଭିତରେ ପାଣିପାଗ ବିଭାଗର କାଳବୈଶାଖୀ ଆକଳନ କିଛି ମାତ୍ରାରେ ଆଶ୍ବସ୍ତି ଆଣିଛି । ମାଲକାନଗିରି,କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ସବୁ ସ୍ଥାନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।