କନକ ବ୍ୟୁରୋ : ଦିଲ୍ଲୀର ରାତିରେ ଆଉ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉନାହିଁ । ଅକ୍ଟୋବର ସରି ନଭେମ୍ୱର ହେଲା, କିନ୍ତୁ ପାଣିପାଗର ଉଷ୍ମତା କମୁନାହିଁ । ଏହା ଭିତରେ ପାଣିପାଗ ବିଜ୍ଞାନୀ ଦେଇଛନ୍ତି ଏକ ନୂଆ ଖବର। ଯେଉଁ ସମୟରେ ଲୋକେ ଗରମ ପୋଷାକ ପିନ୍ଧି ବୁଲିବା କଥା କିମ୍ବା ଥୁରୁଥୁରୁ ସକାଳୁ ଉଠି ବିରକ୍ତିଭରା ମନରେ ନିତ୍ୟକର୍ମ ସାରିବା କଥା, ସେହି ସମୟରେ ଦେହରୁ ଝାଳ ବହୁଛି, ଶୀତ ବୋଲି ଟିକିଏ ନାହିଁ । ଏହା ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପାଣିପାଗ ସୂଚନା । ଅକ୍ବୋବର ମାସରେ ଦିଲ୍ଲୀର ଅସ୍ୱାଭିକ ପାଣିପାଗ ଏଥର ପାଣିପାଗ ବିଜ୍ଞାନୀଙ୍କୁ ହତଚକିତ କରିଦେଇଛି। ଦିଲ୍ଲୀର ସଫଦରଜଙ୍ଗଠାରେ ଥିବା ଦିଲ୍ଲୀର ମୁଖ୍ୟ ପାଣିପାଗ କେନ୍ଦ୍ର ଆଜି ଅକ୍ଟୋବର ମାସର ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୧ ଡିଗ୍ରୀ ସେଣ୍ଟିଗ୍ରେଡ, ଯେତେବେଳେକୁ ସର୍ବନିମ୍ନ ତାପମାତ୍ରା ଥିଲା ୨୧.୨ ଡିଗ୍ରୀ ସେଣ୍ଟିଗ୍ରେଡ। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୫୧ ମସିହା ଅକ୍ବୋବର ମାସରେ ଥରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା ୩୬.୨ ଡିଗ୍ରୀ ସେଣ୍ଟିଗ୍ରେଡ଼ । ସେହିପରି ତା ପୂର୍ବରୁ ଆଉ କେତେକ ବର୍ଷରେ ମଧ୍ୟ ଅକ୍ଟୋବର ମାସ, ଯେତେବେଳେ କି ଶୀତ ଆରମ୍ଭ ହୋଇଯିବା କଥା, ସେତେବେଳେ ଗରମ ହେବା ଦେଖାଯାଇଛି।